ସିଆରପିଏଫ୍ କ୍ୟାମ୍ପରେ ଯବାନଙ୍କ ଉନ୍ମତ୍ତକାଣ୍ଡ: ଜଣେ ମୃତ, ଦୁଇ ଗୁରୁତର

ମାଲକାନଗିରି: ସିଆରପିଏଫ୍ କ୍ୟାମ୍ପରେ ଯବାନଙ୍କ ଉନ୍ମତ୍ତକାଣ୍ଡ। ବଚସାରୁ ସହଯୋଗୀଙ୍କଠାରୁ ବନ୍ଧୁକ ଛଡ଼ାଇ ଆଣି ଦୁଇ ଜଣଙ୍କୁ ଗୁଳି କରି ନିଜକୁ ଗୁଳି ମାରିଲେ ଯବାନ। ଯାହାରି ଫଳରେ ଜଣେ ଯବାନ ମୃତ ଓ ଦୁଇ ଜଣ ଗୁରୁତର ହୋଇଥିବା ସୂଚନା ରହିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବସ୍ତର ଜିଲ୍ଲାରେ।
ସୂଚନାଯୋଗ୍ୟ, ମାଲକାନଗିରି ସୀମାନ୍ତ ଛତିଶଗଡ ବସ୍ତର ଜିଲ୍ଲା ସେଡବା ସିଆରପିଏଫ କ୍ୟାମ୍ପରେ ୨୪୧ ବାଟାଲିୟନରେ ଜଣେ ଯବାନ ଅନ୍ୟ ଦୁଇ ଯବାନଙ୍କୁ ଗୁଳି କରି ନିଜକୁ ଗୁଳି ମାରିଥିବା ଜଣାପଡିଛି।
ଗୁଳିମାଡରେ ମୃତ ହୋଇଥିବା ଯବାନ ଜଣଙ୍କ ହେଲେ ପ୍ରମୋଦ କୁମାର ସୋରୀ । ଗୁରୁତର ଯବାନ ଗିରିଶ କୁମାର ଏବଂ ସନ୍ତୋଷ ବାଚମଙ୍କୁ ହେଲିକାପ୍ଟର ଯୋଗେ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।