ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା: ପ୍ରଧାନଶିକ୍ଷକଙ୍କୁ ଫାଶୀ ଦଣ୍ଡ

ପାଟନା: ବିହାରରେ ପଞ୍ଚମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ବଳାତ୍କାର ମାମଲାରେ ପ୍ରଧାନଶିକ୍ଷକଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି ପୋକ୍ସୋ କୋର୍ଟ। ଅନ୍ୟ ଜଣେ ଶିକ୍ଷକଙ୍କୁ କୋର୍ଟ ଆଜୀବନ କାରାଦଣ୍ଡ ଦେଇଛନ୍ତି। କୋର୍ଟ ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରଧାନଶିକ୍ଷକ ଅରବିନ୍ଦ କୁମାରଙ୍କ ଉପରେ ମଧ୍ୟ ୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି।
ଅନ୍ୟ ଶିକ୍ଷକ ଜଣକ ଉପରେ ୫୦,୦୦୦ ଟଙ୍କାର ଜରିମାନା ଲଗାଯାଇଛି। ପ୍ରକାଶ ଯେ, ୨୦୧୮ ମସିହା ସେପ୍ଟେମ୍ବର ମାସରେ ରାଜଧାନୀ ପାଟନାର ଫୁଲୱାରୀ ସରିଫ ଅଞ୍ଚଳରେ ଏହି ଘଟଣା ସାମ୍ନାକୁ ଆସିଥିଲା। ସେଠାରେ ୫ମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀ ବାରମ୍ବାର ଅସୁସ୍ଥ ହେବାରୁ ତାଙ୍କର ପରିବାର ଲୋକେ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଯାଇଥିଲେ।
ସେଠାରେ ସେ ଗର୍ଭବତୀ ହେବାର ଜଣାପଡିଥିଲା। ପରେ ପୀଡ଼ିତା ବାଳିକାଙ୍କ ପିତାମାତା ତାଙ୍କୁ ଏନେଇ ପ୍ରଶ୍ନ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା ଏବଂ ଉପରୋକ୍ତ ଦୁଇ ଶିକ୍ଷକଙ୍କ କାଣ୍ଡ ସମ୍ପର୍କରେ ଜଣାପଡିଥିଲା। ଝିଅଟିର ପରିବାର ଲୋକେ ତା’ ପରେ ଏନେଇ ପୁଲିସ ନିକଟରେ ଅଭିଯୋଗ କରିଥିଲେ।