Odisha Link
Bridging the Missing Links in Odisha

ସ୍ତ୍ରୀ ପାଇଁ ପ୍ରେମିକ ଘର ଦୁଆରେ ଧାରଣା ଦେଲେ ସ୍ୱାମୀ

ନିଆଳି: ଅଗ୍ନିକୁ ସାକ୍ଷୀରଖି ସାତ ଜନମର ସାଥୀ ହେବାକୁ କଥା ଦେଇ ଠିକି ଦେଲେ ପତ୍ନୀ। ନିଜ ଦୁଇ କଅଁଳ ଛୁଆଙ୍କୁ ଛାଡି ଖୁସିର ସଂସାରକୁ ତୁଚ୍ଛ କରି ୫ ବର୍ଷର ସମ୍ପର୍କ ଭାଙ୍ଗି ନିଜ ପ୍ରେମିକ ସହ ଫେରାର ହୋଇଗଲେ ପତ୍ନୀ। ୨୦ ଦିନ ହେଲା ଦୁଇ କୁନି ଛୁଆଙ୍କୁ କୋଳରେ ଧରି ସ୍ତ୍ରୀକୁ ଖୋଜି ବୁଲୁଛି ସ୍ୱାମୀ। ଶେଷରେ ନିରାଶ ହୋଇ ସ୍ତ୍ରୀର ପ୍ରେମିକ ଘର ଆଗରେ ଧାରଣାରେ ବସିଛନ୍ତି ସ୍ୱାମୀ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ନାଉଗାଁ ଥାନା ଏରେଡା ଗାଁରେ।

ସୂଚନା ମୁତାବକ, ଏରେଡା ଗ୍ରାମର ତୁଷାର ସ୍ୱାଇଁଙ୍କ ପତ୍ନୀଙ୍କୁ ନିଆଳି ଥାନା ଅଳତଳଙ୍ଗ ଗାଁର ରିଣ୍ଟୁ ପ୍ରଧାନ ୨୦ ଦିନ ତଳେ ଅପହରଣ କରି କେଉଁ ଆଡେ ନେଇ ଯାଇଥିବା ତୁଷାର ଅଭିଯୋଗ କରିଛନ୍ତି। ଗତ ୫ ବର୍ଷ ତଳେ ତୁଷାର ନିଜ ଗାଁରେ ଭଲପାଇ ବିବାହ କରିଥିଲେ। ତାଙ୍କର ୩ ବର୍ଷ ଓ ୧୪ ମାସର ଦୁଇଟି ଝିଅ ଅଛନ୍ତି।

ତୁଷାରଙ୍କ ଗାଁରେ ଅଭିଯୁକ୍ତ ରିଣ୍ଟୁର ପିଉସି ଘର ହୋଇଥିବାରୁ ରିଂଟୁ ବେଳେ ବେଳେ ତୁଷାରଙ୍କ ଘରକୁ ଯିବା ଆସିବା କରିଥାଏ। ପଡୋଶୀ ଘର ସମ୍ପର୍କ ଦୃଷ୍ଟିରୁ ଫୋନରେ ତୁଷାରଙ୍କ ପତ୍ନୀ ସହିତ କଥା ମଧ୍ୟ ହୁଏ। ହେଲେ ଗତ ୨୦ ଦିନ ତଳେ ତୁଷାରଙ୍କ ପତ୍ନୀ ଘରୁ ସୁନା ଓ ଟଙ୍କା ନେଇ ଏହି ଯୁବକଙ୍କ ସହ କେଉଁଆଡେ ଚାଲି ଯାଇଛନ୍ତି।

ପତ୍ନୀଙ୍କୁ ବହୁ ଖୋଜାଖୋଜି ପରେ ନପାଇବାରୁ ତୁଷାର ନିରାଶ ହୋଇ ଏବେ ରିଂଟୁ(ପତ୍ନୀଙ୍କ ପ୍ରେମିକ) ଘର ଆଗରେ ଧାରଣା ଦେଇଛନ୍ତି। ନିଜ ପତ୍ନୀକୁ ଫେରି ନପାଇବା ପର୍ଯ୍ୟନ୍ତ ଧାରଣା ଜାରି ରଖିବେ ବୋଲି ତୁଷାର ତାଙ୍କର ଦୁଇ କନ୍ୟାଙ୍କୁ ଧରି ଜିଦିରେ ଅଡି ବସିଛନ୍ତି।

Comments are closed.