Odisha Link
Bridging the Missing Links in Odisha

ଧାନ କିଣା ନଯିବାରୁ ବିଷ ପିଇଲେ ଚାଷୀ

ଭଦ୍ରକ: ଧାନ କିଣା ନଯିବାରୁ ଚାଷୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଟୋକନ ଥିବା ସତ୍ୱେ ଏସଏଚଜି ଧାନ ନକିଣିବାରୁ ଚାଷୀ ଜଣକ ଏମିତି ପଦକ୍ଷେପ ନେଇଥିବା ଜଣାପଡ଼ିଛି । ଆଜି ଏପରି ଘଟଣା ଭଦ୍ରକ ଜିଲ୍ଲାରେ ଘଟିଛି।

ବନ୍ଧଗାଁ ପଞ୍ଚାୟତର ରାମକୃଷ୍ଣ ପଣ୍ଡା। ବାତ୍ୟା, ବନ୍ୟା ଓ ମରୁଡି ସତ୍ତ୍ୱେ ୨୦୦ କ୍ୱିଣ୍ଟାଲରୁ ଅଧିକ ଧାନ ବେଉଷଣ କରିଥିଲେ। ସେହି ଧାନକୁ ବିକ୍ରି କରିବା ପାଇଁ ପଞ୍ଜୀକରଣ କରିଥିଲେ। ମାତ୍ର ବାବା ରାମେଶ୍ୱର ଏସଏଚଜି ଗ୍ରୁପ୍‌ ଧାନ କିଣୁନଥିଲେ। ଯାହାଫଳରେ ତାଙ୍କର ପ୍ରଥମ ଟୋକନ୍‌ଟି ରଦ୍ଦ ହୋଇଯାଇଥିଲା।

ପରବର୍ତ୍ତୀ ଟୋକନର ସମୟ ସୀମା ସରି ସରି ଆସୁଛି। ଯାହାକୁ ନେଇ ଚିନ୍ତାରେ ଥିଲେ ରାମକୃଷ୍ଣ। ଆଜି ରାମକୃଷ୍ଣ ପଣ୍ଡା ମଣ୍ଡିକୁ ଯାଇ ଧାନ କିଣିବାକୁ ଅନୁରୋଧ କରିଥିଲେ। ମାତ୍ର କେହି ଶୁଣିନଥିଲେ। ପ୍ରଶାସନଠାରୁ ନିରାଶ ହୋଇ ରାମକୃଷ୍ଣ ପଣ୍ଡା ସମସ୍ତଙ୍କ ସମ୍ମୁଖରେ ମଣ୍ଡିରେ ବିଷ ପିଇ ଦେଇଥିଲେ।

ମଣ୍ଡିରେ ଉପସ୍ଥିତ ଥିବା ଚାଷୀମାନେ ତାଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ମେଡିକାଲ୍‌ରେ ଭର୍ତ୍ତି କରିଥିଲ। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଭଦ୍ରକ ଉପଜିଲ୍ଲାପାଳ ପୀତାମ୍ୱର ସାମଲ ମେଡିକାଲ୍‌ରେ ପହଞ୍ଚି ଚାଷୀ ରାମକୃଷ୍ଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି। ପଞ୍ଜୀକରଣ ପରେ ଟୋକନ ମିଳୁଛି।

ହେଲେ ଧାନ ନେଉ ନାହିଁ ସେବା ସମବାୟ ସମିତି। ତା’ ସହ କଟନି ଛଟନି ସମସ୍ୟାକୁ ନେଇ ଆଜି ଚାଷୀମାନେ ଭଦକ୍ର-ଆନନ୍ଦପୁର ୫୩ ନମ୍ୱର ରାଜ୍ୟ ରାଜପଥ ଉପରେ ଧାନ ବସ୍ତ ରଖି ରାସ୍ତା ରୋକ କରିଥିଲେ। ଵସନ୍ତିଆ ସେବା ସମବାୟ ସମିତିରେ ଧାନ କିଣାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଥିଲେ ଚାଷୀ।

ଚାଷୀଙ୍କ କହିବା କଥା ଯେ ଟୋକନ ମିଳିଥିଲେ ମଧ୍ୟ ଧାନ କିଣାରେ ବିଳମ୍ବ ହେଉଛି। ଯାହାଫଳରେ ଟୋକନ୍‌ ବାତିଲ ହେଉଛି। ଦଲାଲଙ୍କୁ ପ୍ରଶ୍ରୟ ଦେଇ ପାଇଁ ସମବାୟ ସମିତି ଏମିତି କରୁଥିବା ଅଭିଯୋଗ ହୋଇଛି।

Comments are closed.