Odisha Link
Bridging the Missing Links in Odisha

ପ୍ରଥମ ଓଡ଼ିଶୀ ନୃତ୍ୟଶିଳ୍ପୀ ଲକ୍ଷ୍ମୀପ୍ରିୟାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ପ୍ରଥମ ଓଡ଼ିଶୀ ନୃତ୍ୟଶିଳ୍ପୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକବ୍ୟକ୍ତ କରିଛନ୍ତି। ଲକ୍ଷ୍ମୀପ୍ରିୟା ହେଉଛନ୍ତି ସ୍ୱର୍ଗତ ଗୁରୁ କେଳୁଚରଣ ମହାପାତ୍ରଙ୍କ ଧର୍ମପତ୍ନୀ । ୮୬ ବର୍ଷ ବୟସରେ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ବିୟୋଗ ହୋଇଛି। ତେବେ ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଓଡ଼ିଶୀ ନୃତ୍ୟର ପ୍ରସାର ପାଇଁ ସ୍ଵର୍ଗତ କେଳୁଚରଣ ମହାପାତ୍ର ଓ ତାଙ୍କର ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟାଙ୍କ ଅବଦାନକୁ ମନେ ପକାଇ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ଏହା ସହ ନୃତ୍ୟଶିଳ୍ପୀ ଲକ୍ଷ୍ମୀପ୍ରିୟାଙ୍କର ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଅନ୍ତିମ ସଂସ୍କାର କରିବା ପାଇଁ ଘୋଷଣା କରିଛନ୍ତି। ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଆଜି ପୁରୀରେ ଶ୍ରୀମତି ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କର ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଅନ୍ତିମ ସଂସ୍କାର ହେବ। ଲକ୍ଷ୍ମୀପ୍ରିୟା ଜଣେ ଉଚ୍ଚକୋଟୀର ନୃତ୍ୟାଙ୍ଗନା ଏବଂ କଳାକାର ଥିଲେ। ଗୁରୁ କେଳୁଚରଣଙ୍କ ଜୀବନ ସାଥୀ ଭାବେ ଲକ୍ଷ୍ମୀପ୍ରିୟାଙ୍କ ଅବଦାନ ଅବର୍ଣ୍ଣନୀୟ। ଦୁଇଜଣ ମହାନ୍‌ କଳାକାର ଦମ୍ପତି ହେବା ଏକ ମହାନ୍‌ ସଂଯୋଗ ।୧୯୪୬ ମସିହାରେ ଗୁରୁ କେଳୁଚରଣ ଅର୍ଣ୍ଣପୂର୍ଣ୍ଣା ବି ରଙ୍ଗମଞ୍ଚରେ ନୃତ୍ୟ ପରିବେଷଣ କରିଥିଲେ।

ସେହି ମଞ୍ଚରେ ଲକ୍ଷ୍ମୀପ୍ରିୟା ମଧ୍ୟ ପରିବେଷଣ କରିଥିଲେ। ପରେ ଦୁଇଜଣ ଜୀବନସାଥୀ ହୋଇଥିଲେ। ଲକ୍ଷ୍ମୀପ୍ରିୟାଙ୍କ ଜନ୍ମ ଖୋର୍ଦ୍ଧାରେ। ହେଲେ ତାଙ୍କର ବାଲ୍ୟ ସମୟ ପୁରୀରେ କଟିଥିଲା। ପୁରୀରେ ଥିବା ଅନପୂର୍ଣ୍ଣା ଏ ରଙ୍ଗମଞ୍ଚରେ ସେ ନୃତ୍ୟାଭିନୟ କରିଥିଲେ। ଗୁରୁ ବାଉରୀବନ୍ଧୁ ମହାନ୍ତିଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ ଲକ୍ଷ୍ମୀପ୍ରିୟା। ମୋହିନୀ ଚରିତ୍ରରେ ପ୍ରଥମଥର ପାଇଁ ଲକ୍ଷ୍ମୀପ୍ରିୟା ଅନପୂର୍ଣ୍ଣା ଲଙ୍ଗମଞ୍ଚରେ ନୃତ୍ୟାଭିନୟ କରିଥିଲେ।

ପରେ କଳାକାର ଭାବେ ତାଙ୍କ ଜୀବନ ଯାତ୍ରା ଆଗକୁ ବଢି ଚାଲିଥିଲା। ତାଙ୍କୁ ମଞ୍ଚ ଉପେର ପ୍ରଥମ ଓଡ଼ିଶୀ ନୃତ୍ୟାଙ୍ଗନା ଭାବେ ଅଭିହିତ କରାଯାଏ। ଲକ୍ଷ୍ମୀପ୍ରିୟାଙ୍କ ବିୟୋଗ ଓଡିଶାର ନୃତ୍ୟ ଏବଂ କଳାଜଗତ ପାଇଁ ଏକ ଅପୂରଣୀୟ କ୍ଷତି।

Comments are closed.