‘ଅଧିକ ଛୁଆ ଜନ୍ମ କର, ଅଧିକ ରାସନ୍ ମିଳିବ’

ଡେରାଡୁନ: ଫଟା ଜିନ୍ସ , ଭାରତକୁ ଆମେରିକା ୨୦୦ ବର୍ଷ ଶାସନ କରିଥିଲା ଏଭଳି କିଛି ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଥିବା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ବତ ପୁଣି ଚର୍ଚ୍ଚାରେ।
ଏବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଶିଶୁ ଜନ୍ମ କରିବାକୁ ନେଇ ଦେଇଛନ୍ତି ମନ୍ତବ୍ୟ। ଦୁଇ ଶିଶୁ ଜନ୍ମକଲେ, କାହିଁକି ୨୦ ଶିଶୁ ଜନ୍ମ କରିଲେ ନାହିଁ ବୋଲି ସାଧାରଣ ଲୋକଙ୍କୁ ପ୍ରଶ୍ନ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । ଅନ୍ତ୍ରରାଷ୍ଟ୍ରୀୟ ବଣିକ ଦିବସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତ। ଲକଡାଉନ ଏବଂ ସଟଡାଉନ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ରାସନ ସାମଗ୍ରୀକୁ ନେଇ ମନ୍ତବ୍ୟ ଦେଇଥିଲେ ତୀରଥ।
ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ସମୟରେ ସରକାରଙ୍କ ପକ୍ଷରୁ ପ୍ରତି ଘରେ ପରିବାର ସଦସ୍ୟଙ୍କ ପିଛା ୫ କିଲୋ ରାସନ ଦିଆଯାଇଛି। ଯେଉଁ ପରିବାରର ସଦସ୍ୟ ସଂଖ୍ୟା ୧୦ ତାଙ୍କୁ ୫୦ କିଲୋ ଏବଂ ଯାହାଙ୍କ ୨୦ ସଦସ୍ୟ ସେମାନଙ୍କୁ ଏକ କ୍ଵିଣ୍ଟାଲ ରାସନ ଦିଆଯାଇଛି। ତଥାପି ଲୋକେ ଈର୍ଷା କରୁଛନ୍ତି ଯେ, ୨ ଜଣିଆ ପରିବାରକୁ ୧୦ କିଲୋ ଏବଂ ୨୦ ଜଣିଆ ପରିବାରକୁ କ୍ଵିଣ୍ଟାଲେ ରାସନ ମିଳିଲା। ଏଥିରେ ଈର୍ଷା କଣ ପାଇଁ ? ଯେବେ ସମୟ ଥିଲା କାହିଁକି ୨ ଜନ୍ମ କଲେ ? କାହିଁକି ୨୦ ଜନ୍ମ କଲେ ନାହିଁ ?
ସୂଚନାଥାଉକି, ରବିବାର ବିଶ୍ଵ ବନ ଦିବସ ଅବସରରେ ନୈନିତାଲ ଜିଲ୍ଲାର ରାମନଗରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଉତ୍ତରାଖଖଣ୍ଡ ମୁଖ୍ୟମନ୍ତ୍ରୀ । ଏହି ସମୟରେ ସେ ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, କୋଭିଡ୍ ମହାମାରୀରେ ଅନେକ ଦେଶ ପ୍ରଭାବିତ ହୋଇଛି। ଭାରତ ଯେଉଁଭଳି ଭାବରେ ମୋଦୀଙ୍କ ନେତୃତ୍ୱରେ କରୋନା ମୁକାବିଲା କରିଛି ତାହାକୁ ସାରା ବିଶ୍ୱ ପ୍ରଶଂସା କରୁଛି। ଆମେରିକା ଭଳି ଦେଶ ଯିଏକି ଭାରତକୁ ୨୦୦ ବର୍ଷ ଧରି ଶାସନ କରି କରିଥିଲା ସେ ବି ଏହି ମହାମାରୀରେ ପ୍ରଭାବିତ ହୋଇଛି। ଆଉ ସଂଘର୍ଷ କରୁଛି ବୋଲି ତୀରଥ କହିଛନ୍ତି।