Odisha Link
Bridging the Missing Links in Odisha

ମୋଦିଜୀଙ୍କ ବିକାଶ ଧାରାରେ ସାମିଲ ହେବେ ପିପିଲିବାସୀ: ସମୀର

ପିପିଲି: ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଆଜି ରାଜ୍ୟ ସଭାପତି ସମୀର ମହାନ୍ତି ପିପିଲିର ବିଭିନ୍ନ ପଞ୍ଚାୟତକୁ ଯାଇ ଘର ଘର ବୁଲି ପ୍ରଚାର କରିଛନ୍ତି। ସମୀର ମହାନ୍ତି ବ୍ୟକ୍ତିଗତ ଭାବେ ପିପିଲିବାସୀଙ୍କୁ ଭେଟି ବିଜେପିକୁ ଆଶୀର୍ବାଦ କରିବା ପାଇଁ ଭୋଟର ଭାଇ ଓ ଭଉଣୀମାନଙ୍କୁ ଅନୁରୋଧ କରିଛନ୍ତି। ସମୀର ମହାନ୍ତି ପିପିଲି ନିର୍ବାଚନମଣ୍ଡଳୀର ଗଡ ମୋଟରୀ ପଞ୍ଚାୟତର କୁମୁଣ୍ଡଳ, ବାତୋଲ, ମୋଟରୀ, ଗଣ୍ଡପଡ଼ା, ନୂଆ ସାହି ଓ ଅନକୋଇ ଗାଁ ବୁଲି ପ୍ରଚାର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚାୟତ ଗୁଡ଼ିକରେ ବିକାଶ ମୂଳକ କାର୍ଯ୍ୟ କରିବା ପାଇଁ ବ୍ୟାପକ ଅର୍ଥ ପଠାଉଛନ୍ତି।

କିନ୍ତୁ ରାଜ୍ୟ ସରକାର ଏହି ଅର୍ଥକୁ କାର୍ଯ୍ୟରେ ନଲଗାଇ ହରିଲୁଟ୍ କରୁଛି। ବିଗତ ୫ ବର୍ଷ ମଧ୍ୟରେ ୨ କୋଟି ଟଙ୍କା ମୋଦି ସରକାର ପଠାଇଥିବାବେଳେ ପଞ୍ଚାୟତରେ ନା ଡ୍ରେନ ଅଛି ନା ବିଦ୍ୟୁତ ଲାଇଟ। ପିପିଲିବାସୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଖଣ୍ଡେ ପାଇବାରୁ ବଞ୍ଚିତ ରହିଛନ୍ତି। ପିପିଲିର ମୋଟେଇ ପଞ୍ଚାୟତର ଗାଁ ରାସ୍ତା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି।

ସେହିପରି ଫନି ବାତ୍ୟାରେ ମୋଦି ସରକାର ପଠାଇଥିବା ଅର୍ଥକୁ ଦଳୀୟ ଭିତିରେ ବଣ୍ଟନ କରାଯାଇଛି। ଆଜିବି ଯୋଗ୍ୟ ହିତାଧିକାରୀ ଫନି କ୍ଷତିଗ୍ରସ୍ତକାରୀଙ୍କୁ ପକ୍କା ଘର ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ସମୀର ମହାନ୍ତି କହିଛନ୍ତି। ପିପିଲି-ଡେଲାଙ୍ଗ ରାଜ୍ୟର ଗୋଟିଏ ପୂରୁଣା ବିଜ୍ଞାପିତ ଅଂଚଳର ହୋଇଥିବା ସତ୍ୱେ ବର୍ତମାନ ସୁଦ୍ଧା ଗୋଟିଏ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ହୋଇ ପାରିନାହିଁ।

ଏହି ଅଞ୍ଚଳ କୃଷି ପ୍ରାଧାନ୍ୟ ଅଞ୍ଚଳ ହୋଇଥିବା ସତ୍ୱେ ଶୀତଳ ଭଣ୍ଡାରର ଅଭାବ, ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା ଆଜି ପ୍ରମୁଖ ସମସ୍ୟା ଭାବେ ଛିଡା ହୋଇଛି। ୩୫ ବର୍ଷ ନିରବିଚ୍ଛିନ୍ନ ଲୋକ ପ୍ରତିନିଧି ଶାସକ ବିଜେଡିର ହୋଇଥିବା ସତ୍ୱେ ଏହି ସମସ୍ତ ସମସ୍ୟାର ସମାଧାନ ନହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସମୀର ମହାନ୍ତି କହିଛନ୍ତି।

ପିପିଲିବାସୀ ପ୍ରଧାନମନ୍ତ୍ରୀଙ୍କ ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସ ନୀତିକୁ ଆପଣାଉଛନ୍ତି। ଆଗାମୀ ଦିନରେ ପିପିଲିରେ ବହୁତ ବଡ ପରିବର୍ତନ ହେବ ଏବଂ ମୋଦିଜୀଙ୍କ ବିକାଶ ଧାରାରେ ପିପିଲିବାସୀ ସାମିଲ ହେବେ ବୋଲି ସମୀର ମହାନ୍ତି କହିଛନ୍ତି। ଏହି ପ୍ରଚାର ସମୟରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ରାଜ୍ୟ ସାଧାରଣ ସଂପାଦକ ରବି ନାୟକ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଛବି ମଲ୍ଲିକ ପ୍ରମୁଖ ସାମିଲ ଥିଲେ।

Leave A Reply

Your email address will not be published.