ବିନା ଭକ୍ତରେ ହେବ ରୁକୁଣା ରଥଯାତ୍ରା, ସରକାର ଦେଲେ ଅନୁମତି
ରୁକୁଣା ରଥଯାତ୍ରା ନେଇ ଏସଓପି ଜାରି କଲା ବିଏମସି

ଭୁବନେଶ୍ବର: ରାଜ୍ୟରେ ବିଗତ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାଫଳରେ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ହେବ ନା ନାଇଁ ଅନିଶ୍ଚିତତା ଲାଗି ରହିଥିଲା। ତେବେ ଏସବୁ ରାଜ୍ୟ ସରକାର ଲାଗି ରହିଥିବା ଅନିଶ୍ଚିତତା ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ରାଜ୍ୟ ସରକାର ରୁକୁଣା ରଥଯାତ୍ରା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଯାହାଫଳରେ ଚଳିତ ବର୍ଷ ବିନା ଭକ୍ତରେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି।
ଅପରପକ୍ଷେ ରୁକୁଣା ରଥଯାତ୍ରା ଆୟୋଜନ ନେଇ ବିଏମସି ପକ୍ଷରୁ ଏସଓପି ଜାରି କରାଯାଇଛି। ଏସଓପିରେ ଉଲ୍ଲେଖ ରହିଛି ଯେ, ରଥଯାତ୍ରାରେ କୌଣସି ଭକ୍ତ ଭାଗ ନେଇ ପାରିବେ ନାହିଁ। ରଥଯାତ୍ରାରେ କେବଳ ସେବାୟତ ଭାଗ ନେଇପାରିବେ ବୋଲି ଏସଓପିରେ ଉଲ୍ଲେଖ ରହିଛି।
ଏଥିସହିତ ସମସ୍ତ ସେବାୟତଙ୍କ ଆରଟିପିସିଆର ଟେଷ୍ଟ କରାଯିବ। ୪୮ ଘଣ୍ଟା ପୂର୍ବରୁ ଏହି ଟେଷ୍ଟ କରାଯିବ। ନେଗେଟିଭ ରିପୋର୍ଟ ଆସିଥିବା ସେବାୟତ ହିଁ ରଥାଯାତ୍ରାରେ ଭାଗ ନେଇ ପାରିବେ। ଆଉ ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ଥିବା ସେବାୟତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଏସଓପିରେ ଉଲ୍ଲେଖ ରହିଛି।
ସୂଚନାଥାଉକି, ଗତ ୮ ତାରିଖ ଦିନ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଆୟୋଜନ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବିଡିଏ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ୪ ନିଯୋଗ ଓ ବିଏମସି କମିଶନର ଉପସ୍ଥିତ ଥିଲେ । ଏହି ଅବସରରେ ବିନା ଭକ୍ତରେ ରୁକୁଣା ରଥଯାତ୍ରା କରିବା ନେଇ ସେବାୟତମାନେ ଦାବି ରଖିଥିଲେ ।