ସେନାରେ ସାମିଲ୍ ହେଲେ ପୁଲଓ୍ୱାମା ଶହୀଦଙ୍କ ପତ୍ନୀ ଲେଫ୍ଟନେଣ୍ଟ ନିତିକା କୌଲ ଧୌଣ୍ଡିଆଲ

ନୂଆଦିଲ୍ଲୀ: ସେନାରେ ସାମିଲ୍ ହେଲେ ପୁଲଓ୍ୱାମା ଶହୀଦଙ୍କ ପତ୍ନୀ। ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ବୀରଗତି ପ୍ରାପ୍ତ କରିଥିବା ମେଜର ବିଭୂତି ଶଙ୍କର ଧୌଣ୍ଡିଆଲଙ୍କ ସ୍ତ୍ରୀ ନିତିକା କୌଲ ସେନାରେ ସାମିଲ୍ ହୋଇଛନ୍ତି। ଆର୍ମିରେ ଯୋଗ ଦେବା ପରେ ସେ ଲେଫ୍ଟନେଣ୍ଟ ନିତିକା କୌଲ ଧୌଣ୍ଡିଆଲ ହୋଇଛନ୍ତି। ଆଜି ସେନାର ପୋଷାକ ପିନ୍ଧିବା ପରେ ସର୍ବ ପ୍ରଥମେ ତାଙ୍କ ସ୍ୱାମୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି।
ମାତ୍ର ୧୦ ମାସର ବୈବାହିକ ଜୀବନ କାଟିଥିବା ନିତିକା ଏହାପରେ ଏସଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ତାଙ୍କୁ ସେନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ମଧ୍ୟ ସେନା ଅଧିକାରୀଙ୍କ ପରି ୟୁନିଫର୍ମ ପିନ୍ଧି ଶତ୍ରୁମାନଙ୍କ ବିରୁଦ୍ଧରେ ଲଢ଼େଇ କରିବାକୁ ପ୍ରସ୍ତୁତ।
ଆଜି ଅଫିସର୍ ଟ୍ରେନିଂ ଏକାଡେମୀର ଏକ ପାସ୍ ପ୍ୟାରେଡ୍ରେ ଅନେକ କ୍ୟାଡେଟ୍ ଭାରତୀୟ ସେନାର ୟୁନିଫର୍ମ ପିନ୍ଧି ଦେଶର ସେବା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ଲେଫ୍ଟନାଣ୍ଟ ନିତିକା ମଧ୍ୟ ସମାନ ୟୁନିଫର୍ମ ପିନ୍ଧିଥିଲେ ଯାହା ପୂର୍ବରୁ ତାଙ୍କ ଶହୀଦ ସ୍ୱାମୀ ମେଜର ବିଭୁତି ଶଙ୍କର ଧୌଣ୍ଡିଆଲ ପିନ୍ଧିଥିଲେ।
ମେଜର ବିଭୂତି ଶଙ୍କର ଧୌଣ୍ଡିଆଲ ଶହୀଦ ହେବା ପରେ ଯେତେବେଳେ ତାଙ୍କ ମର ଶରୀର ବାସଭବନରେ ପହଞ୍ଚିଥିଲା ସେତେବେଳେ ପତ୍ନୀ ନିତିକା ପାଖରେ ଛିଡ଼ା ହୋଇ କାନ୍ଦି କାନ୍ଦି ସାଲ୍ୟୁଟ ମାରିଥିଲେ। ସେ କହିଥିଲେ ‘ତୁମେ ମୋତେ ମିଛ କହିଛ ଯେ ତୁମେ ମୋତେ ଅଧିକ ଭଲ ପାଅ। ତୁମେ ତମ ଦେଶକୁ ଅଧିକ ଭଲ ପାଉଥିଲ…. କେବଳ ତୁମେ ନୁହେଁ ମୁଁ ମଧ୍ୟ ଏଥିପାଇଁ ଗର୍ବିତ’। ଏହାପରେ ନିତିକା ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଥିଲେ ସେ ଜଣେ ଗରିବ ବ୍ୟକ୍ତି ନୁହଁନ୍ତି ବରଂ ଜଣେ ସାହସୀ ଶହୀଦଙ୍କ ପତ୍ନୀ ଏବଂ ସେ ତାଙ୍କ ସ୍ୱାମୀଙ୍କ ଶହୀଦ ପାଇଁ ଗର୍ବିତ।
ସେନାରେ ସାମିଲ୍ ହେବା ପୂର୍ବରୁ ନିତିକା ଏଚସିଏଲ କମ୍ପାନୀରେ ଚାକିରି କରିଥିଲେ। ସ୍ୱାମୀ ଶହୀଦ ହେବା ପରେ ସେ ଚାକିରି ଛାଡ଼ି ଦେଇଥିଲେ। କିଛି ସେନା ଅଧିକାରୀ ତାଙ୍କୁ ପରୀକ୍ଷା ପାଇଁ ମାର୍ଗଦର୍ଶକ ସାଜିଥିଲେ। ଏହାପରେ ୨୦୧୯ରେ ସେ ଏସଏସସି ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ। ମେଜର ବିଭୂତି ଏବଂ ନିତିକା ପରସ୍ପରକୁ ଫେସବୁକରୁ ଜାଣିଥିଲେ। ଏହାପରେ ଚାଟିଂ କରୁ କରୁ ଉଭୟ ପ୍ରେମରେ ପଡ଼ିଥିଲେ। ପରେ ଉଭୟ ବିବାହ କରିଥିଲେ।