Odisha Link
Bridging the Missing Links in Odisha

ନୂଆ ଜାତୀୟ ରେକର୍ଡ କରି ବି ଦୂତୀ ପାଇଲେନି ଅଲିମ୍ପିକ୍ସ ଟିକେଟ୍

ନୂଆଦିଲ୍ଲୀ: ନୂଆ ଜାତୀୟ ରେକର୍ଡ କଲେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ। ନିଜ ନାମରେ ଥିବା ପୂର୍ବ ଜାତୀୟ ରେକର୍ଡକୁ ଭାଙ୍ଗି କଲେ ନୂଆ ରେକର୍ଡ। ପଟିଆଲାରେ ଇଣ୍ଡିଆନ୍ ଗ୍ରାଁ ପ୍ରିରେ ନିଜ ରେକର୍ଡ ଭାଙ୍ଗିଲେ ଦୂତୀ। ହେଲେ ମାତ୍ର ୦.୦୨ ସେକେଣ୍ଡ ପାଇଁ ଭାଙ୍ଗିଗଲା ଦୂତୀଙ୍କ ସ୍ବପ୍ନ।

୧୦୦ ମିଟର ଦୌଡରେ ନୂଆ ରେକର୍ଡ କଲେ ଦୂତୀ। ୧୦୦ ମିଟର ଦୌଡ଼କୁ ୧୧.୧୭ ସେକେଣ୍ଡରେ ଅତିକ୍ରମ କରି ରେକର୍ଡ ଭାଙ୍ଗିଲେ। ପୂର୍ବରୁ ଦୂତୀଙ୍କ ନାଁରେ ୧୧.୨୨ ସେକେଣ୍ଡର ରେକର୍ଡ ଥିଲା। ୧୦୦ ମିଟର୍ ଫାଇନାଲ୍ ମୁକାବିଲାରେ ଦୂତୀ ୧୦୦ ମିଟରରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ କର୍ଣ୍ଣାଟକର ଧନେଶ୍ୱରୀ ଏଟି ୧୧.୪୮ ସେକେଣ୍ଡରେ ଦ୍ୱିତୀୟ ସ୍ଥାନ ଏବଂ ପଶ୍ଚିମବଙ୍ଗର ହିମଶ୍ରୀ ରୟ ୧୧.୭୨ ସେକେଣ୍ଡରେ ତୃତୀୟ ସ୍ଥାନ ହାସଲ କରିଛନ୍ତି।

ଅନ୍ୟପଟେ ୦.୦୨ ସେକେଣ୍ଡ ପାଇଁ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତାରୁ ପଡିଛନ୍ତି ଦୂତୀ। ସୂଚନାଥାଉକି, ଅଲିମ୍ପିକ୍ସ ଟିକେଟ ପାଇବାକୁ ହେଲେ ୧୧.୧୫ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରିବାକୁ ପଡ଼ିଥାଏ। ଦୂତୀଙ୍କ ପାଖରେ ଏବେବି ଅଲିମ୍ପିକକୁ କ୍ୱାଲିଫାଏ କରିବାର ସୁଯୋଗ ରହିଛି। ଦୂତୀ ଇଣ୍ଡିଆନ୍ ଗ୍ରା ପ୍ରି’ର ୨୦୦ ମିଟର୍ ଦୌଡ଼ରେ ମଧ୍ୟ ଭାଗ ନେବେ। ସେହିପରି ୧୦୦ ମିଟରରେ ଅଲିମ୍ପିକକୁ କ୍ୱାଲିଫାଏ କରିବା ପାଇଁ ଦୂତୀଙ୍କ ପାଖରେ ଆଉ ଗୋଟିଏ ମାତ୍ର ସୁଯୋଗ ରହିଛି। ଜୁନ୍ ୨୫ ତାରିଖରେ ପଟିଆଲାରେ ଜାତୀୟ ଆନ୍ତଃ ରାଜ୍ୟ ଆଥଲେଟିକ୍ସ ଚାମ୍ପିୟନଶିପ୍ ଅନୁଷ୍ଠିତ ହେବ। ଅଲିମ୍ପିକ୍ କ୍ୱାଲିଫାଏ ସମୟ ସୀମା ଜୁନ୍ ୨୯ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ତାଲିକା ଜୁଲାଇ ୧ ତାରିଖରେ ଅନ୍ତିମ ତାଲିକା ପ୍ରକାଶ ପାଇବ।

ଅନ୍ୟପଟେ ସଟ୍‌ ପୁଟର ତାଜିନ୍ଦର ପାଲ ସିଂହ ମଧ୍ୟ କରିଛନ୍ତି ରେକର୍ଡ। ସେ ୨୧.୪୯ ମିଟର ଥ୍ରୋ କରି ଅଲିମ୍ପିକ୍‌ ଯୋଗ୍ୟତା ଅଙ୍କ ଅତିକ୍ରମ କରିବା ସହିତ ନିଜ ନାମରେ ଥିବା ଜାତୀୟ ରେକର୍ଡକୁ ଭଙ୍ଗ କରିଛନ୍ତି ତାଜିନ୍ଦର। ଏହାପୂର୍ବରୁ ୨୧.୨୮ ମିଟର ଥ୍ରୋ କରି ଜାତୀୟ ରେକର୍ଡ କରିଥିଲେ ତାଜିନ୍ଦର।

Leave A Reply

Your email address will not be published.