Odisha Link
Bridging the Missing Links in Odisha

ରିଲାଏନ୍ସ ରିଟେଲ୍ ୩ ରୁ ୫ ବର୍ଷ ଭିତରେ ୩ ଗୁଣା ବୃଦ୍ଧି ସହ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ: ମୁକେଶ ଅମ୍ବାନି

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ରିଟେଲ୍ ସଂସ୍ଥା ରିଲାଏନ୍ସ ରିଟେଲ୍ ଆସନ୍ତା ୩ ରୁ ୫ ବର୍ଷ ଭିତରେ ୩ ଗୁଣା ବୃଦ୍ଧି ପାଇବ ଏବଂ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନି କହିଛନ୍ତି। ଏଥିସହିତ ଏହା ଆହୁରି ଅନେକଙ୍କ ପାଇଁ ଜୀବିକା ସୃଷ୍ଟି କରିବ। ଏହା ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ରିଟେଲ୍ କଂପାନି ହୋଇ ରହିବ ଏବଂ କଂପାନି ଦୁନିଆର ଶ୍ରେଷ୍ଠ ୧୦ ରିଟେଲର୍‌ଙ୍କ ମଧ୍ୟରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛି ବୋଲି ଗୁରୁବାର ଅନୁଷ୍ଠିତ ବାର୍ଷିକ ସାଧାରଣ ବୈଠକ ଅବସରରେ ଶ୍ରୀ ଅମ୍ବାନି କହିଛନ୍ତି।

୨୦୨୦-୨୧ରେ ମହାମାରୀ ପରିସ୍ଥିତିରେ ମଧ୍ୟ ରିଲାଏନ୍ସ ରିଟେଲ୍ ୬୫,୦୦୦ରୁ ଅଧିକ ନୂଆ ନିଯୁକ୍ତି ସୃଷ୍ଟି କରିଥିବା ବେଳେ ବର୍ତମାନ କଂପାନିରେ ୨ ଲକ୍ଷରୁ ଅଧିକ ଲୋକ ନିଯୁକ୍ତ ରହିଛନ୍ତି, ଯାହା କମ୍ପାନୀକୁ ଦେଶର ଅନ୍ୟତମ ବୃହତ୍ ନିଯୁକ୍ତି ପ୍ରଦାନକାରୀ ଭାବେ ସ୍ଥାନିତ କରିଛି।

ଆସନ୍ତା ତିନି ବର୍ଷରେ କଂପାନି ଏହାର ଇ-କମର୍ସ ସଂସ୍ଥା ଜିଓମାର୍ଟରେ ଏକ କୋଟିରୁ ଅଧିକ ମର୍ଚାଂଟ୍ ବା ବ୍ୟବସାୟୀ ସହଯୋଗୀଙ୍କୁ ଯୋଡ଼ିବ। ଗତ ଏକ ବର୍ଷ ମଧ୍ୟରେ ଜିଓମାର୍ଟ ୧୫୦ଟି ସହରର ୩ ଲକ୍ଷରୁ ଅଧିକ ବିକ୍ରେତା ବା କ୍ଷୁଦ୍ର ବ୍ୟବସାୟୀ ସହଯୋଗୀଙ୍କୁ ଯୋଡ଼ି ସେମାନଙ୍କୁ ଉଭୟ ପ୍ରତ୍ୟକ୍ଷ ଓ ଡିଜିଟାଲ୍ ମାଧ୍ୟମରେ ସଶକ୍ତ କରିଛି ଏବଂ ଏହି ପ୍ରକ୍ରିୟାକୁ ଅନ୍ୟ ସହରଗୁଡିକୁ ସଂପ୍ରସାରଣ କରିବା ଯୋଜନାରେ ଆଗକୁ ବଢୁଛି।

ରିଲାଏନ୍ସ ରିଟେଲ୍ ଏହାର ଷ୍ଟୋର୍ ଏବଂ ତତ୍‌ସଲଗ୍ନ ଡେଲିଭରି ହବ୍ ସଂଖ୍ୟା ମଧ୍ୟ ଚଳିତ ବର୍ଷ ବହୁ ଗୁଣା ବଢ଼ାଇବ। ରିଲାଏନ୍ସ ରିଟେଲ୍ ଦ୍ରୁତ ଅଭିବୃଦ୍ଧି ପଥରେ ଥିବାରୁ ଆସନ୍ତା ୩ ରୁ ୫ ବର୍ଷ ଭିତରେ ଏହା ତିନି ଗୁଣା ବୃଦ୍ଧି ପାଇବ ବୋଲି ମୋର ବିଶ୍ୱାସ ରହିଛି ବୋଲି ମୁକେଶ ଅମ୍ବାନି କହିଛନ୍ତି। ଗ୍ରୋସରି, ଇଲେକ୍ଟ୍ରୋନିକ୍ସ ଓ ପୋଷାକ ବ୍ୟବସାୟ କ୍ଷେତ୍ରରେ ରିଲାଏନ୍ସ ରିଟେଲ୍ ଅଗ୍ରଣୀ ଥିବା ସେ କହିଛନ୍ତି। ଗବେଷଣା, ଡିଜାଇନ୍ ଓ ଉତ୍ପାଦ ବିକାଶରେ କଂପାନି ନିବେଶ ଜାରି ରଖିବ ଓ ଏହାର ସାମଗ୍ରୀ ସଂଗ୍ରହ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଯୋଗାଣ ଶୃଙ୍ଖଳ ଭିତିଭୂମିରେ ଉନ୍ନତି ଆଣି ଦକ୍ଷତା ବଢ଼ାଇବ। ଏକ ସ୍ୱୟଂକ୍ରିୟ, ମଡ୍ୟୁଲାର ଓ ଭରସାଯୋଗ୍ୟ ଏବଂ ବ୍ୟାପକ କରିହେଉଥିବା ଗୋଦାମ ଓ ଲଜିଷ୍ଟିକ୍ ବା ପରିବହନ ବ୍ୟବସ୍ଥା ଆମକୁ ଦେଶର କୋଣ ଅନୁକୋଣରେ କମ୍ ସମୟ ଭିତରେ ଉତ୍ପାଦ ପହଂଚାଇବାରେ ସହାୟକ ହେବ ବୋଲି ସେ କହିଛନ୍ତି।

ଜିଓମାର୍ଟରେ ପ୍ରୟ ୮୦ ଭାଗ ଉପଭୋକ୍ତା ବାରମ୍ବାର ଅର୍ଡର କରୁଥିବା ଦେଖଯାଇଛି ଯାହା ଏହା ପ୍ରତି ଗ୍ରହକମାନଙ୍କର ରହିଥିବା ବିଶ୍ୱାସକୁ ପରିଦର୍ଶିତ କରୁଛି ବୋଲି ସେ କହିଛନ୍ତି। ଜିଓମାର୍ଟ ଗୋଟିଏ ଦିନରେ ସର୍ବାଧିକ ୬.୫ ଲକ୍ଷ ଅର୍ଡର ପୂରଣ କରିଛି। ବ୍ୟବସାୟ ସହଯୋଗୀମାନେ ସେମାନଙ୍କ ଗ୍ରାହକମାନଙ୍କୁ ଉତ୍ତମ ସେବା ପ୍ରଦାନ କରିପାରିବା ପାଇଁ ପାଇଁ ଜିଓମାର୍ଟର ପ୍ରତିଶ୍ରୁତି ବେଶ୍ ସରଳ ‘ଗ୍ରାହକ ଆପଣଙ୍କର, ସହାୟତା ଆମର’ ବୋଲି ଏହି ଅବସରରେ ସେ କହିଛନ୍ତି।

Leave A Reply

Your email address will not be published.