Odisha Link
Bridging the Missing Links in Odisha

ଉତ୍ତରାଖଣ୍ଡ ରାଜନୀତିରେ ହଟଚମଟ, ୪ ମାସରେ ଇସ୍ତଫା ଦେଲେଣି ୨ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ରାଜନୀତିରେ ହଟଚମଟ। ୪ ମାସରେ ଇସ୍ତଫା ଦେଲେଣି ୨ ମୁଖ୍ୟମନ୍ତ୍ରୀ। ଯାହାକୁ ନେଇ ରାଜ୍ୟଠୁ ଜାତୀୟ ରାଜନୀତି ସରଗରମ। ଏସବୁ ମଧ୍ୟରେ ଆଜି ନୂଆ ମୁଖ୍ୟମନ୍ତ୍ରୀ ଚୟନ କରାଯିବ ବୋଲି ସୂଚନା ରହିଛି। ଏଥିପାଇଁ ଅପରାହ୍ନ ୩ଟାରେ ଶାସକ ଦଳ ବିଜେପିର ବିଧାୟକ ଦଳ ବୈଠକ ବସିବ।

ଶୁକ୍ରବାର ବିଳମ୍ୱିତ ରାତିରେ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାଓ୍ୱତ ଇସ୍ତଫା ଦେଇଛନ୍ତି। ମାତ୍ର ତିନି ମାସ ସେ ଏହି ପଦବୀରେ ରହିବା ପରେ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳଙ୍କୁ ରାତି ୧୧ଟାରେ ଇସ୍ତଫା ଦେବା ବେଳେ ତାଙ୍କ ସହ ବିଜେପି ରାଜ୍ୟ ସଭାପତି ମଦନ କୌଶିକଙ୍କ ସମେତ ଅନେକ ବିଜେପି ବିଧାୟକ ଥିଲେ। ଇସ୍ତଫା ଦେବା ପରେ ତିରଥ ମିଡିଆକୁ ପ୍ରତିକ୍ରିୟା ଦେବା ପରେ ଭାବବିହ୍ୱଳ ହୋଇଯାଇଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଜେପି ନଡ୍ଡାଙ୍କୁ ଭେଟିବା ପରେ ତିରଥ ନିଜ ଇସ୍ତଫା ପ୍ରଦାନ ପାଇଁ ରାଜି ହୋଇଥିଲେ । ନଡ୍ଡାଙ୍କ ସହ ଆଲୋଚନା ବାବଦରେ ଏହା କେବଳ ଆଗାମୀ ବିଧାନସଭା ନିର୍ବାଚନ ପ୍ରସ୍ତୁତି ବାବଦରେ ବୈଠକ ବୋଲି ସେ ପ୍ରଥମେ କହିଥିଲେ। ଜେପି ନଡ୍ଡାଙ୍କ ସହ ତାଙ୍କର ସାକ୍ଷାତ ଏପରି ସମୟରେ ହୋଇଥିଲା ଯେତେବେଳେ ତାଙ୍କର ରାଜନୈତିକ ଭବିଷ୍ୟତକୁ ନେଇ ଅନେକ ଅଟକଳ କରାଯାଉଥିଲା। କେବଳ ବିଜେପି ଅଧ୍ୟକ୍ଷ ନୁହେଁ, ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ସେ ଭେଟିଥିଲେ। ସେ ଗୁରୁବାର ଉତ୍ତରାଖଣ୍ଡ ଫେରିବାର ଥିଲା କିନ୍ତୁ ନିଜର ଯାତ୍ରା ରବ୍ଦ କରିଥିଲେ। ପୁଣି ଶୁକ୍ରବାର ସେ ନଡ୍ଡାଙ୍କୁ ଭେଟିଥିଲେ।

ସୂଚନାଯୋଗ୍ୟ, ତିରଥ ସାଂସଦ ହୋଇଥିବାରୁ ସେପ୍ଟେମ୍ୱର ୧୦ ସୁଦ୍ଧା ବିଧାନସଭାକୁ ନିର୍ବାଚିତ ହେବା ଦରକାର। ହେଲେ ବର୍ଷେରୁ କମ୍ ସମୟ ରହିଛି ବିଧାନସଭା ନିର୍ବାଚନକୁ। ତେଣୁ ରାଜ୍ୟରେ ଉପନିର୍ବାଚନ ହୋଇପାରିବ ନାହିଁ। ହେଲେ ଜଣେ ବିଧାୟକ ନହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବା ନିହାତି ଦରକାର। ତେଣୁ ଏସବୁ ସ୍ଥିତିକୁ ଦେଖି ତିରଥ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ଯିଏ ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ, ତାଙ୍କର କାର୍ଯ୍ୟକାଳ ମାତ୍ର ୭-୮ ମାସ ହେବ। କାରଣ ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

Leave A Reply

Your email address will not be published.