ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଇସ୍ତଫା ଦେଲେ ଡାକ୍ତର ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଆଜି ସଂଧ୍ୟା ୬ଟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବେ। ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଇସ୍ତଫା ପର୍ବ ଆରମ୍ଭ ହୋଇଯାଇଛି। ବହୁ ବରିଷ୍ଠ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ ରାଷ୍ଟ୍ରମନ୍ତ୍ରୀ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ନିଜର ପଦ ଛାଡ଼ିଛନ୍ତି।
ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଡାକ୍ତର ହର୍ଷବର୍ଦ୍ଧନ ନୂଆଦିଲ୍ଲୀରୁ ସାଂସଦ ଅଛନ୍ତି। ତେବେ କରୋନା ଭଳି ମହାମାରୀ ସମୟରେ ହାକ୍ତର ହର୍ଷବର୍ଦ୍ଧନଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ସେହିପରି ଏମଏସଏମଇ ଓ ପଶୁ ସମ୍ପଦ ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଇସ୍ତଫା ଦେଇଛନ୍ତି। ଓଡ଼ିଶାର ମୋଦୀ ଭାବେ ସେ ବେଶ ପରିଚିତ ଥିଲେ। ସେହିପରି କେନ୍ଦ୍ରମନ୍ତ୍ରିମଣ୍ଡଳରୁ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଇସ୍ତଫା ଦେଇଛନ୍ତି। ସନ୍ତୋଷ ଗଙ୍ଗୱାର ଇସ୍ତଫା ଦେଇଥିବା ଜଣାଯାଇଛି। ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଇସ୍ତଫା ଦେଇଛନ୍ତି। ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଦେବଶ୍ରୀ ଚୌଧୁରୀ ମଧ୍ୟ ଇସ୍ତଫା ଦେଇଥିବା ସୂଚନା ମିଳିଛି। ସଦାନନ୍ଦ ଗୌଡ଼ ମଧ୍ୟ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି।
ଅନ୍ୟପକ୍ଷରେ ମୋଦୀଙ୍କ ଟିମରେ ୪୩ ଜଣ ନୂଆ ମନ୍ତ୍ରୀ ସାମିଲ ହୋଇପାରନ୍ତି। ଆଜି ସନ୍ଧ୍ୟାରେ ସେମାନେ ଶପଥ ନେଇପାରନ୍ତି। ତେବେ ସେମାନଙ୍କ ନାମ ରାଷ୍ଟ୍ରପତି ଭବନକୁ ଯାଇଥିବା ସୂଚନା ମିଳିଛି। ତନ୍ମଧ୍ୟରୁ ଜ୍ୟୋତିରାନ୍ଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୱାଲ, ପଶୁପତି ପାରସ, ନାରାୟଣ ରାଣେ, ଭୂପେନ୍ଦ୍ର ଯାଦବ, ଅନୁପ୍ରିୟା ପଟେଲ, ମିନାକ୍ଷୀ ଲେଖି ଓ ଅଶ୍ୱିନ ବୈଷ୍ଣବଙ୍କ ନାମ ସାମିଲ ଥିବା ଜଣାଯାଇଛି। ସେହିପରି ରାଷ୍ଟ୍ରମନ୍ତ୍ରୀ ଥିବା ୩ ଜଣଙ୍କୁ କ୍ୟାବିନେଟ ପାହ୍ୟା ମିଳିବା ନେଇ ମଧ୍ୟ ସୂଚନା ମିଳିଛି। ଏମାନଙ୍କ ନାମ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ଯାଇଥିବା ଜଣାଯାଇଛି।