Odisha Link
Bridging the Missing Links in Odisha

କଙ୍ଗନାଙ୍କ ଫିଲ୍ମ ‘ଇମର୍ଜେନ୍ସୀ’କୁ ନେଇ ତେଜିଲା ରାଜନୀତି

ନୂଆଦିଲ୍ଲୀ: କଣ୍ଟ୍ରାଭର୍ସି କ୍ୱିନ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଇମର୍ଜେନ୍ସୀ’କୁ ନେଇ ରାଜନୀତିକ ଝଡ଼। ଫିଲ୍ମକୁ ନେଇ ବିଜେପି-କଂଗ୍ରେସ ପରସ୍ପରକୁ କାଦୁଅ ଫିଙ୍ଗିବା ଆରମ୍ଭ କଲେଣି। ଉଲ୍ଲେଖଯୋଗ୍ୟ ୪୬ ବର୍ଷ ପୂର୍ବେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଦେଶରେ ଲାଗୁ ହୋଇଥିଲା ଜରୁରିକାଳୀନ ପରିସ୍ଥିତି (ଇମର୍ଜେନ୍ସୀ) ବିଷୟକୁ ଭିତ୍ତି କରି ଏକ ଫିଲ୍ମ ନିର୍ମାଣ କରୁଛନ୍ତି କଙ୍ଗନା।

ସବୁଠାରୁ ବଡ଼ କଥା ଏହି ‘ଇମର୍ଜେନ୍ସୀ’ ଫିଲ୍ମରେ କଙ୍ଗନା ମୁଖ୍ୟ ଭୂମିକା ନିର୍ବାହ କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେବେ। ଇନ୍ଦିରାଙ୍କ ସମ୍ପର୍କରେ ଅଧିକ ଜାଣିବା ପାଇଁ କଙ୍ଗନା ଆସନ୍ତା ମାସରେ ତାଙ୍କ ଜନ୍ମସ୍ଥାନ ଏବଂ କର୍ମଭୂମି ପ୍ରୟାଗରାଜ ପରିଦର୍ଶନ କରିବାକୁ ଯିବେ। ହେଲେ ଏହି ଫିଲ୍ମ ନିର୍ମାଣ ପୂର୍ବରୁ ତେଜିଲାଣି ରାଜନୀତି।

କଂଗ୍ରେସ ବିଜେପିର ଏଜେଣ୍ଟ ଭାବେ ‘ଇମର୍ଜେନ୍ସୀ’ ଫିଲ୍ମ ଆଳରେ ଇନ୍ଦିରା ଗାନ୍ଧୀଙ୍କୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା କଂଗ୍ରେସ ଅଭିଯୋଗ କରିଛି। ସେହିପରି ବିଜେପି ପ୍ରଶ୍ନ ଉଠାଇଛି ଯେ ଇନ୍ଦିରାଙ୍କ ନାମକୁ ନେଇ ଗାଳି ଦେଉଥିବା କଂଗ୍ରେସ ତାଙ୍କ ଦ୍ୱାରା ଲଗାଯାଇଥିବା ‘ଇମର୍ଜେନ୍ସୀ’ କଥା ଉଠିଲେ ଭୟ କରୁଛି କାହିଁକି?

କଂଗ୍ରେସ କହିଛି କଙ୍ଗନାଙ୍କୁ ପ୍ରୟାଗରାଜକୁ ପ୍ରବେଶ କରେଇଦେବନି। କିନ୍ତୁ ବିଜେପି ଏହାର ଜବାବରେ କହିଛି ଯେ, ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଦେଶର ଝିଅ କଙ୍ଗନାଙ୍କୁ ଯୋଗୀ ସରକାରଙ୍କ ଆଇନ ଅନୁଯାୟୀ ପ୍ରୟାଗରାଜକୁ ଆସିବା ନେଇ କେହି ବି ରୋକି ପାରିବେ ନାହିଁ। ଉତ୍ତର ପ୍ରଦେଶ ବିଜେପି ମୁଖପାତ୍ର ରାକେଶ ତ୍ରିପାଠୀ କହିଛନ୍ତି ଯେ, ଦେଶରେ ଜରୁରିକାଳୀନ ପରିସ୍ଥିତି ଏକ ଅନ୍ଧକାର ଅଧ୍ୟାୟ। ଯେପର୍ଯ୍ୟନ୍ତ ରାଜ୍ୟରେ ଯୋଗୀ ସରକାର ଅଛି, କେହି କାହାକୁ ଆସିବାକୁ ଅଟକାଇ ପାରିବେ ନାହିଁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ସେପଟେ ପ୍ରୟାଗରାଜ କଂଗ୍ରେସ ଜିଲ୍ଲା ସଭାପତି ହସିବ ଅହମ୍ମଦ କହିଛନ୍ତି ଯେ, ଇନ୍ଦିରା ଗାନ୍ଧୀ ହିଁ ନିଜର ବଳିଦାନ ଦେଇ ଦେଶର ମାନ ଓ ସମ୍ମାନ ରକ୍ଷା କରିଥିଲେ। କିନ୍ତୁ ଫିଲ୍ମରେ କାମ କରୁଥିବା କଙ୍ଗନା ବିଜେପିର ଏଜେଣ୍ଟ ସାଜି ଇନ୍ଦିରାଙ୍କୁ ଅପମାନିତ କରିବା ପାଇଁ ଚେଷ୍ଟା କରୁଛନ୍ତି।

Leave A Reply

Your email address will not be published.