Odisha Link
Bridging the Missing Links in Odisha

ଅଶ୍ୱିନୀ ବୈଷ୍ଣବଙ୍କ ବିବୃତି ଚିରିଦେଲେ ଟିଏମସି ସାଂସଦ

ନୂଆଦିଲ୍ଲୀ: ଅଶ୍ୱିନୀ ବୈଷ୍ଣବଙ୍କ ପେଗାସସ୍‌ ବିବୃତି ଚିରିଦେଲେ ଟିଏମସି ସାଂସଦ। ଆଜି ରାଜ୍ୟସଭାରେ ଏକ ଅଣ ସାମ୍ବିଧାନିକ ଘଟଣା ଘଟିଛି। ରାଜ୍ୟସଭାରେ ପେଗାସସ୍‌ ବିବାଦକୁ ନେଇ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିବୃତି ରଖିବାର ଥିଲା। ସେ ବିରୋଧୀଙ୍କ ନାରାବାଜୀ ଭିତରେ ପେଗାସସ୍‌କୁ ନେଇ ସରକାର ପ୍ରସ୍ତୁତ ବିବୃତି ପଢ଼ିଥିଲେ। ହେଲେ ଟିଏମସିର ଜଣେ ସାଂସଦ ତାଙ୍କ ହାତରୁ ଏହି ବିବୃତି ପେପରକୁ ଛଡ଼ାଇ ନେଇ ଚିରି ଦେଇଛନ୍ତି।

ଟିଏମସି ସାଂସଦ ଶାନ୍ତନୁ ସେନ ପେପର ଛଡ଼ାଇ ନେଇ ଚିରି ଦେଇଥିଲେ। ଏହାକୁ ସେ ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହଙ୍କ ଆଡ଼କୁ ଫୋପାଡ଼ିଥିଲେ। ଫଳରେ ଅଶ୍ୱିନୀ ବୈଷ୍ଣବ ବିବୃତି ପଢ଼ିବା ପରିବର୍ତ୍ତେ ଏହାକୁ ଗୃହରେ ଉପସ୍ଥାପନ କରାଗଲା ବୋଲି କହିଥିଲେ। ପରେ ରାଜ୍ୟସଭାରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥିତି ବିଗିଡ଼ିବାରୁ ରାଜ୍ୟସଭାକୁ ଆସନ୍ତାକାଲି ଯାଏ ମୁଲତବୀ ଘୋଷଣା କରିଛନ୍ତି।

ପେଗାସସ ଉପରେ ବୈଷ୍ଣବ ବକ୍ତବ୍ୟ ରଖି ପାରିନଥିବା ବେଳେ ପ୍ରବଳ ହୋ ହଲ୍ଲା ମଧ୍ୟରେ ବିପକ୍ଷ ଦଳକୁ ନିଶାଣରେ ରଖିଥିଲେ। ସଂସଦର ମୌସୁମୀ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ଏକ ୱେବ ପୋର୍ଟାଲରେ ପେଗାସସ ସମ୍ପର୍କିତ ଖବର ପ୍ରକାଶ ପାଏ। ଏହାକୁ ନେଇ ଅନେକ କପୋଳକଳ୍ପିତ କାହାଣୀ ମଧ୍ୟ ସମ୍ମୁଖକୁ ଆସେ। ସଂସଦୀୟ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ଏଭଳି ଅଭିଯୋଗ ଆସିବା କେବଳ ଏକ ସଂଯୋଗ ହୋଇନପାରେ ବୋଲି ବୈଷ୍ଣବ କହିଥିଲେ। ଏହି ମାମଲାକୁ ନେଇ ପ୍ରସ୍ତୁତ ହୋଇଥିବା ବିସ୍ତୃତ ରିପୋର୍ଟ ସମସ୍ତ ଦଳ ପଢିବା ଉଚିତ ବୋଲି ବୈଷ୍ଣବ ମତ ଦେଇଛନ୍ତି।

ଏହି ଦଲିଲ ଚିରା ଘଟଣା ପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ ଶାନ୍ତନୁ ସେନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଗୃହର ଉପମୁଖ୍ୟ ହରିବଂଶ ସମସ୍ତ ସଦସ୍ୟଙ୍କୁ ସଦନର ଗାରିମା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଭଳି ଘଟଣାକୁ ଅଣ ସାମ୍ବିଧାନିକ ବୋଲି କହିବା ସହିତ ନିନ୍ଦା କରିଛନ୍ତି ବିଜେପି ସାଂସଦ ସ୍ୱପନ ଦାସଗୁପ୍ତା ଓ ସମାଜବାଦୀ ପାର୍ଟି ସାଂସଦ ରାମଗୋପାଳ ଯାଦବ।

Leave A Reply

Your email address will not be published.