Odisha Link
Bridging the Missing Links in Odisha

ଦେଶରେ ଗଣତନ୍ତ୍ରର ହତ୍ୟା ହେଉଛି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ସମୟ ପୂର୍ବରୁ ଶେଷ ହୋଇଯାଇ ଥିବା ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହ ଏକ ମିଳିତ ପଦଯାତ୍ରା କରିଛନ୍ତି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ପଦଯାତ୍ରାରେ ୧୨ରୁ ଅଧିକ ରାଜନୈତିକ ଦଳ ଏଥିରେ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ରାହୁଲ ଗାନ୍ଧୀ କେନ୍ଦ୍ରସରକାରଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିବା ସହ ଗୃହରେ ସାଂସଦମାନଙ୍କ ସହ ହୋଇଥିବା ଅସଦାଚରଣ ବିଷୟରେ କହିଛନ୍ତି।

ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ରାଜ୍ୟସଭାରେ ପ୍ରଥମ ଥର ପାଇଁ ସାଂସଦଙ୍କ ସହ ଏଭଳି ବ୍ୟବହାର କରାଯାଇଛି। ପ୍ରଥମ ଥର ପାଇଁ ଗୃହରେ ସାଂସଦଙ୍କୁ ମାଡ଼ ମରାଯାଇଛି, ଅନ୍ୟପଟେ ପେଗାସସ୍ ପ୍ରସଙ୍ଗ ଉପରେ ଆଲୋଚନା କରାଗାଲା ନାହିଁ। କୃଷକ, ଦରଦାମ ବୃଦ୍ଧି ପ୍ରସଙ୍ଗ ବି ଆଲୋଚନା କରାଗାଲା ନାହିଁ। ସରକାର ବିରୋଧୀଙ୍କ ସ୍ୱର ଦବାଇବାକୁ ଚେଷ୍ଟା କରୁଛନ୍ତି। ଦେଶର ୬୦ ପ୍ରତିଶତ ଲୋକଙ୍କ କଥା ଶୁଣାଯାଉନାହିଁ। ଗଣତନ୍ତ୍ରକୁ ହତ୍ୟା କରାଯାଇଛି ବୋଲି କହିଛନ୍ତି ରାହୁଲ ଗାନ୍ଧୀ।

ଏହି ମାର୍ଚ୍ଚରେ ସାମିଲ ହୋଇଥିଲେ ଶିବସେନା ସାଂସଦ ସଂଜୟ ରାଉତ । ମୋଟ୍ ୧୫ ଜଣ ନେତା ଓ ସାଂସଦ ବିଜୟ ଚୌକ ପର୍ଯ୍ୟନ୍ତ ହୋଇଥିବା ଏହି ଶୋଭାଯାତ୍ରାରେ ଯୋଗଦେଇଥିଲେ। ଏହା ପରେ ବିରୋଧୀ ସାଂସଦମାନେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁଙ୍କୁ ଭେଟିଛନ୍ତି।

ଅନ୍ୟପକ୍ଷରେ ବିରୋଧୀଙ୍କ ଏଭଳି ବିକ୍ଷୋଭକୁ ବିଜେପି ସମାଲୋଚନା କରିଛି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳର ନେତାମାନେ ଯେଉଁଭଳି ଭାବେ ରାସ୍ତାରେ ବିକ୍ଷୋଭ କରୁଛନ୍ତି, ତାହା ଦୁର୍ଭାଗ୍ୟଜନକ। ଗଣତନ୍ତ୍ରର ମୁଣ୍ଡ ଆଜି ଲଜ୍ଜାରେ ନଇଁ ଯାଉଛି। ବିରୋଧୀଙ୍କ ଆଚରଣ ଦେଖି କେବଳ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ କାନ୍ଦି ନାହାନ୍ତି, ବରଂ ପୂରା ଗଣତନ୍ତ୍ର କାନ୍ଦୁଛି ବୋଲି କହିଛନ୍ତି।

Leave A Reply

Your email address will not be published.