Odisha Link
Bridging the Missing Links in Odisha

ଅଗଷ୍ଟ ୧୪କୁ ବିଭାଜନ ବିଭୀଷିକା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି

ନୂଆଦିଲ୍ଲୀ: ଅଗଷ୍ଟ ୧୪ ତାରିଖକୁ ଭାରତ ବିଭୀଷିକା ଦିବସ ଭାବେ ପାଳନ କରିବ ଭାରତ। ୧୯୪୭ ମସିହାରେ ଭାରତୀୟ ଉପମହାଦେଶର ବିଭାଜନ କାଳୀନ ଯନ୍ତ୍ରଣା ଓ ଲକ୍ଷାଧିକ ବିସ୍ତାପିତଙ୍କ ସଂଘର୍ଷକୁ ମନେ ପକାଇ ଏହି ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଭାରତ-ପାକିସ୍ତାନ ବିଭାଜନକୁ ମନେ ପକାଇଛନ୍ତି। ସେ କହିଛନ୍ତି ଯେ, ଦେଶ କେବେ ମଧ୍ୟ ବିଭାଜନର ଯନ୍ତ୍ରଣାକୁ ଭୁଲି ପାରିବ ନାହିଁ। ଘୃଣା ଓ ହିଂସା ପାଇଁ ଆମର ଲକ୍ଷାଧିକ ଭାଇଭଉଣୀ ନିଜ ଜୀବନ ହରାଇଥିଲେ।

ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ବିଭାଜନ କାଳରେ ବିସ୍ଥାପିତ ହୋଇଥିବା ଲକ୍ଷାଧିକ ଭାଇଭଉଣୀଙ୍କ ସଂଘର୍ଷ ଓ ବଳିଦାନକୁ ମନେ ପକାଇ ଅଗଷ୍ଟ ୧୪ ତାରିଖକୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଦିନ ଭେଦଭାବର ବିଷକୁ ସମାପ୍ତ କରିବା ପାଇଁ ପ୍ରେରିତ କରିବ ବୋଲି ସେ କହିଛନ୍ତି। Partition Horrors Remembrance Dayର ଆମକୁ ଭେଦଭାବ ଓ ଦୁର୍ଭାବନାର ବିଷକୁ ସମାପ୍ତ କରିବାକୁ ନାକେବଳ ପ୍ରେରିତ କରିବ ଅଧିକନ୍ତୁ ଏହାଦ୍ୱାରା ଏକତା,ସାମାଜିକ ସଦଭାବନା ବି ମଜବୁତ ହେବ।

ଭାରତ ଅଗଷ୍ଟ ୧୫ ତାରିଖ ୧୯୪୭ରେ ସ୍ୱାଧିନତା ପାଇଥିଲା। ଏହା ସହ ବିଭାଜନ ମଧ୍ୟ ଆସିଥିଲା। ଭାରତ ଓ ପାକିସ୍ତାନ ଦୁଇଟି ଦେଶରେ ପରିଣତ ହୋଇଥିଲେ। କିନ୍ତୁ ଏହି ବିଭାଜନ ଶାନ୍ତିପୂର୍ଣ୍ଣ ନଥିଲା। ଉଭୟ ପଟୁ ହୋଇଥିବା ହିଂସାରେ ଲକ୍ଷାଧିକ ଲୋକ ପ୍ରାଣ ହରାଇଥିଲେ। ପାକିସ୍ତାନରୁ ଫେରୁଥିବା ହିନ୍ଦୁ ଓ ଶିଖଙ୍କ ଉପରେ ଆକ୍ରମଣ ହୋଇଥିଲା।

ସେହିଭଳି ଭାରତର କେତେକ ଅଂଚଳରେ ମଧ୍ୟ ହିଂସାକାଣ୍ଡ ହୋଇଥିଲା। ବିଭାଜନ କାଳରେ ହୋଇଥିବା ହିଂସାକାଣ୍ଡରେ ପ୍ରକୃତରେ କେତେ ଲୋକ ପ୍ରାଣ ହରାଇଥିଲେ ତା’ର କୌଣସି ସଠିକ ହିସାବ ନଥିଲେ ମଧ୍ୟ ଆନୁମାନିକ ଏଥିରେ ୧୦ରୁ ୨୦ ଲକ୍ଷ ପ୍ରାଣ ହରାଇଥିବା କୁହାଯାଏ।

Leave A Reply

Your email address will not be published.