Odisha Link
Bridging the Missing Links in Odisha

ଏକ ଶିଶୁ ପାଇଁ ନିଲାମ କରିଦେଲେ ଅଲିମ୍ପିକ୍ସ ପଦକ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ: ଏକ ଶିଶୁ ପାଇଁ ନିଲାମ କରିଦେଲେ ଅଲିମ୍ପିକ୍ସ ମେଡାଲ୍। ପଲିସର ମହିଳା ଆଥଲେଟ୍ ମାରିଆ ଆନ୍ଦ୍ରେଜିକ୍ ଟୋକିଓ ଅଲିମ୍ପିକ୍ସର ଜାଭେଲିନ୍ ଥ୍ରୋ’ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ। ହେଲେ ସେ ଏବେ ଏକ କୁନି ଶିଶୁର ଜୀବନ ବଞ୍ଚାଇବା ଲାଗି ସେହି ମେଡାଲକୁ ନିଲାମ କରିଦେଇଛନ୍ତି।

ମାରିଆ ସୋଶାଲ ମିଡିଆରେ ଏହାର ସୂଚନା ଦେଇଛନ୍ତି। ଯେଉଁଥି ପାଇଁ ତାଙ୍କୁ ଲୋକେ ଖୁବ୍ ପ୍ରଶଂସା କରୁଛନ୍ତି। ମାରିଆ ଟୋକିଓ ଅଲିମ୍ପିକ୍ସରେ ୬୪.୬୧ ମିଟର୍ ଥ୍ରୋ’ କରି ରୌପ୍ୟ ପଦକ ଜିତିଥିଲେ। ହେଲେ ମିସଲୋଭ ନାମକ ଜଣେ ୮ମାସର ଶିଶୁ ଗୁରୁତର ହୃଦରୋଗରେ ଆକ୍ରାନ୍ତ ଥିବା ଜାଣିବା ପରେ ପାଣ୍ଠି ସଂଗ୍ରହ କରିବାକୁ ଅଲିମ୍ପିକ୍ସ ମେଡାଲ୍ ନିଲାମ କରିବାକୁ ମାରିଆ ନିଷ୍ପତ୍ତି ନେଲେ

ସୂଚନା ମୁତାବକ, ଶିଶୁଟିର ଜୀବନ ବଞ୍ଚାଇବା ଲାଗି ସର୍ଜରୀର ଆବଶ୍ୟକ, ଯେଉଁଥିରେ ୧ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବ। ଆଉ ଏହି ସର୍ଜରୀ ଆମେରିକାରେ ହିଁ ହୋଇପାରିବ। ମେଡାଲ୍ ପାଇଁ ବିକ୍ରେତା ମିଳିବା ପରେ ମାରିଆ ଏହି ନିଲାମକୁ ରୋକି ଦେଇଛନ୍ତି। ସେ କହିଛନ୍ତି, ଜବକା ନାମକ ଏକ କମ୍ପାନୀ ୧,୨୫୦୦୦ ଡଲାର ସହ ମେଡାଲକୁ ଜିତିନେଇଥିଲା। ଏଥିରୁ ସଂଗୃହୀତ ଅର୍ଥ ଦ୍ୱାରା ଶିଶୁକୁ ଷ୍ଟାନଫର୍ଡ ୟୁନିଭର୍ସିଟି ମେଡିକାଲ ସେଣ୍ଟରେ ଆବଶ୍ୟକ ସର୍ଜରୀ କରାଇବାରେ ସହାୟକ ହେବ।

ତେବେ ନିଲାମରେ ପଦକ ଜିତିଥିବା କମ୍ପାନୀ ଅତି ପ୍ରଶଂସାଯୋଗ୍ୟ କାମ କରିଛି। ଜବକା କମ୍ପାନୀ ମେଡାଲକୁ ଜିତିବା ପରେ ମାରିଆଙ୍କୁ ତାଙ୍କର ମେଡାଲ୍ ଫେରାଇ ଦେଇଛି। ମାରିଆ ପ୍ରାୟ ସପ୍ତାହକ ତଳେ ଫେସବୁକରେ ଏହି ଘୋଷଣା କରିଥିଲେ। ସେ ଲେଖିଥିଲେ, ମୁଁ ଏହା ଉପରେ ବହୁତ ଭାବିଲି। ଏହା ମୋର ପ୍ରଥମ ଫଣ୍ଡରେଜର ଥିଲା ଏବଂ ମୁଁ ଜାଣିଛି ଯେ ଏହା ସଠିକ୍ ନିଷ୍ପତ୍ତି ଥିଲା। ନିଲାମରୁ ମିଳିଥିବା ଅର୍ଥ ଶିଶୁର ମାତାପିତାଙ୍କୁ ଦାନ କରାଯିବ।

ମାରିଆ ୨୦୧୬ ରିଓ ଅଲିମ୍ପିକ୍ସରେ ଅଳ୍ପକେ ପଦକରୁ ବଞ୍ଚିତ ରହି ଚତୁର୍ଥରେ ରହିଥିଲେ। ୨୦୧୭ରେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା ଏବଂ ୨୦୧୮ରେ ତାଙ୍କ ହାଡ଼ରେ କ୍ୟାନସର୍ ହୋଇଥିବା ଜାଣିବାକୁ ପାଇଥିଲେ। ଏହାସତ୍ତ୍ୱେ ସେ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ନିଜ ଦମରେ ଟୋକିଓ ଅଲିମ୍ପିକ୍ସ ପାଇଁ କ୍ୱାଲିଫାଏ କରିଥିଲେ। ଟୋକିଓ ଅଲିମ୍ପିକ୍ସରେ ସେ ନିଜର ପ୍ରଥମ ପଦକ ଜିତିଛନ୍ତି।

Leave A Reply

Your email address will not be published.