Odisha Link
Bridging the Missing Links in Odisha

ଭାରତ ସହ ଆମଦାନୀ-ରପ୍ତାନୀ ବନ୍ଦ କଲା ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନ କବଜା ପରେ ତାଲିବାନ ଭାରତ ସହ ସମସ୍ତ ପ୍ରକାରର ବ୍ୟବସାୟିକ ସମ୍ପର୍କଚ୍ଛିନ୍ନ କରିଛି। ତାଲିବାନ ଭାରତ ସହ ଚାଲିଥିବା ଆମଦାନୀ ଓ ରପ୍ତାନୀକୁ ବନ୍ଦ କରିଦେଇଛି। ଫେଡେରେସନ ଅଫ ଇଣ୍ଡିଆ ଏକ୍ସପୋର୍ଟ ସଙ୍ଗଠନର ମୁଖ୍ୟ ଡକ୍ଟର ଅଜୟ ସହାୟ ଏହା କହିଛନ୍ତି।

ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଅନୁସାରେ, ତାଲିବାନ ବର୍ତ୍ତମାନ ସମସ୍ତ ସାମଗ୍ରୀ ପରିବହନ କରୁଥିବା କର୍ଗୋ ମୁଭମେଂଟକୁ ରୋକିଦେଇଛି। ବର୍ତ୍ତମାନ ତାଲିବାନ ପାକିସ୍ତାନର ଟ୍ରାଞ୍ଜିଟ ରୁଟ୍‌ ଦେଇ ଚଳାଚଳ କରୁଥିବା କାରଗୋଗୁଡ଼ିକ ଉପରେ ରୋକ ଲାଗାଇ ଦେଇଛି। ଫଳରେ ଆଫଗାନରୁ ଆସୁଥିବା ଜିନିଷ ଗୁଡ଼ିକ ଭାରତରେ ପହଞ୍ଚି ପାରୁନି। ରପ୍ତାନୀ ମଧ୍ୟ ଏହି କାରଣରୁ ଗଭୀର ଭାବେ ପ୍ରଭାବିତ ହୋଇଛି।

ଆଫଗାନିସ୍ତାନ ସହ ଭାରତର ବ୍ୟବସାୟିକ ସମ୍ପର୍କ ରହିଛି। ୨୦୨୧ରେ ଆଫଗାନିସ୍ତାନକୁ ପ୍ରାୟ ୮୩୫ ମିଲିୟନ ଡଲାରର ସାମଗ୍ରୀ ରପ୍ତାନୀ ହେବାର ଥିଲା। ଆମେ ୫୧୦ ମିଲିୟନ ଡଲାରର ଜିନିଷ ମଧ୍ୟ ଆମଦାନୀ କରିଥାଆନ୍ତୁ। କିନ୍ତୁ ଏବେ ସବୁ କିଛି ଅଧାରୁ ବନ୍ଦ ହୋଇ ଯାଇଛି।ଆଫଗାନରେ ୩ ବିଲିୟନ ଡଲାରର ପୁଞ୍ଜି ନିବେଶ କରାଯାଇଛି। ୪୦୦ଟି ପ୍ରକଳ୍ପ କାମ ମଧ୍ୟ ଚାଲିଛି। ଏବେ ଏସବୁ ଆଶା ଆଶଙ୍କା ମଧ୍ୟରେ ରହିଛି।

ଭାରତରୁ ଆଫଗାନକୁ ଚିନି, ଫାର୍ମାସିଟ୍ୟୁକାଲ୍ସ, ବିଭିନ୍ନ ପ୍ରକାରର କପଡ଼ା, ଚା’, କଫି, ମସଲା ଓ ଟ୍ରାନ୍ସମିଶନ ଟାୱାର ରପ୍ତାନୀ ହୋଇଥାଏ। ସେହିପରି ଭାରତ ଡ୍ରାଏ ଫ୍ରୁଟ ପାଇଁ ସାଧାରଣତଃ ଆଫଗାନ ଉପରେ ନିର୍ଭର କରେ। କିଛି ପରିମାଣର ପିଆଜ ଓ ବିଭିନ୍ନ ପ୍ରକାରର ଚୁଇ ଗମ ମଧ୍ୟ ଆଫଗାନରୁ ଆମଦାନୀ ହୋଇଥାଏ।

Leave A Reply

Your email address will not be published.