Odisha Link
Bridging the Missing Links in Odisha

ଡିଏଫ୍‌ଓ ଓ ବିଦ୍ୟାଭାରତୀଙ୍କର ହୋଇପାରେ ଲାଇ ଡିଟେକ୍ସନ ଟେଷ୍ଟ

ପାରଳାଖେମୁଣ୍ଡି: ଏସିଏଫ୍‌ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଏବଂ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କର ଲାଇ ଡିଟେକ୍ସନ ଟେଷ୍ଟ ହୋଇପାରେ। ଆବଶ୍ୟକ ପଡ଼ିଲେ ଲାଇ ଡିଟେକ୍ସନ ଟେଷ୍ଟ କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସ୍‌ପି।

ଆଜି ସୌମ୍ୟରଂଜନଙ୍କ ମୃତ୍ୟୁ ମାମଲାରେ ଗଜପତି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା କରିଛି କ୍ରାଇମ୍‌ବ୍ରାଞ୍ଚ। କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି କହିଛନ୍ତି, ହସ୍‌ପିଟାଲ୍‌ରେ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଜମାନବନ୍ଦୀ ନେଲା ବେଳେ ଡିଏଫଓ ଉପସ୍ଥିତ ଥିଲେ ବୋଲି ଜେରା ବେଳେ ସ୍ୱୀକାର କରିଛନ୍ତି। କିନ୍ତୁ କ’ଣ ଲେଖାଯାଉଥିଲା, ସେ ତାହା ଜାଣି ନଥିବା କହିଛନ୍ତି।

କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ଆହୁରି କହିଛନ୍ତି, ସୌମ୍ୟରଞ୍ଜନଙ୍କୁ ଡିଏଫ୍‌ଓ ଜାଣିଶୁଣି ନାଇଟ୍ ଡ୍ୟୁଟିରେ ପକାଉଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା, ଜେରା ବେଳେ ସେହି ପ୍ରଶ୍ନ ମଧ୍ୟ ପଚରା ଯାଇଥିଲା। ତେବେ ଏହି ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ସେହିପରି ସୌମ୍ୟରଞ୍ଜନଙ୍କ ପତ୍ନୀଙ୍କ ସହିତ ତାଙ୍କର ସଂପର୍କ ଥିବା ବିଷୟରେ ମଧ୍ୟ ପଚରା ଯାଇଥିଲା। ସୌମ୍ୟରଞ୍ଜନଙ୍କ ପତ୍ନୀଙ୍କ ସହିତ ତାଙ୍କର କିଛି ସଂପର୍କ ନଥିଲା ବୋଲି ଡିଏଫଓ କହିଛନ୍ତି।

ସେ ଆହୁରି କହିଛନ୍ତି, ବିଦ୍ୟାଭାରତୀ ପଣ୍ଡା ଓ ତାଙ୍କ ପରିବାର ଲୋକଙ୍କୁ ଏଯାଏଁ ପଚରାଉଚରା କରାଯାଇ ନାହିଁ। ସେମାନଙ୍କୁ ପଚରାଉଚରା କରିବା ପରେ ସବୁ କଥାକୁ ତର୍ଜମା କଲା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ।

କ୍ରାଇମବ୍ରାଞ୍ଚ ଜେରା ପରେ ବାହାରକୁ ଆସିବା ପରେ ଗଣମାଧ୍ୟମରେ କିଛି କହିବାକୁ ମନା କରି ଦେଇଥିଲେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା। ସୌମ୍ୟରଞ୍ଜନଙ୍କ ଜମାନବନ୍ଦୀ ନେଲା ବେଳେ ସେ ଉପସ୍ଥିତ ଥିଲେ କି ନାହିଁ ପ୍ରଶ୍ନର ଉତ୍ତରରେ ସେ ସେଠାରେ ନଥିଲେ ବୋଲି କହିଥିଲେ। କିନ୍ତୁ କ୍ରାଇମବ୍ରାଞ୍ଚ ସମ୍ମୁଖରେ ସେ ସେତେବେଳେ ଉପସ୍ଥିତ ଥିବା କହିଥିଲେ।

Leave A Reply

Your email address will not be published.