Odisha Link
Bridging the Missing Links in Odisha

ମିତ୍ରଙ୍କ ବଦଳରେ ବିଜେପି ଜନତାଙ୍କ କାମ କରିଥିଲେ ‘ବେରୋଜଗାର ଦିବସ’ର ଆବଶ୍ୟକତା ନଥାନ୍ତା: ରାହୁଲ

ନୂଆଦିଲ୍ଲୀ: ସାରା ଦେଶରେ ୧୭ ସେପ୍ଟେମ୍ବରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ତମ ଜୟନ୍ତୀ ଭାବେ ପାଳନ କରାଯାଉଛି। ତେବେ ଯୁବକଂଗ୍ରେସ ଦିନଟିକୁ ଦେଶରେ ‘ଜାତୀୟ ବେରୋଜଗାରୀ ଦିବସ’ଭାବେ ପାଳନ କରିବା ସହ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛି। କେନ୍ଦ୍ରରେ ଶାସନୀ ପୂର୍ବରୁ ବିଜେପି ବର୍ଷକୁ ୨ କୋଟି ବେକାରୀଙ୍କ ନିଯୁକ୍ତି ପ୍ରତିଶ୍ରୁତି ଦେଇଥିଲା। ମାତ୍ର ଦେଶରେ କରୋନା ଭାଇରସ ମହାମାରୀ କାରଣରୁ ଲକ୍ଷଲକ୍ଷ ଲୋକେ ବେକାର ହୋଇଯାଇଛନ୍ତି।

ଯୁବ କଂଗ୍ରେସର ଜାତୀୟ ବେରୋଜଗାର ଦିବସକୁ ନେଇ କଂଗ୍ରେସର ୱାଇନାଡ ସାଂସଦ ରାହୁଲ ଗାନ୍ଧି ବିଜେପିକୁ ଟାର୍ଗେଟ କରିଛନ୍ତି। ଏ ନେଇ ରାହୁଲ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ ପୋଷ୍ଟ ସେୟାର କରିଥିବା ବେଳେ ଦେଶକୁ ଏହି ଦିବସର ଆବଶ୍ୟକତା ନଥାନ୍ତା ଯଦି ମୋଦି ସରକାର ଲୋକଙ୍କ ଲାଗି କାମ କରିଥାନ୍ତେ ବୋଲି ଉଲ୍ଲେଖ କରିଛନ୍ତି ରାହୁଲ। କେନ୍ଦ୍ରରେ ବିଜେପି ଲଗାତାର ଦୁଇଟି ଜାକ ପାଳି ନିଜର ମିତ୍ରଙ୍କ ଲାଗି ଉତ୍ସର୍ଗ କରିଦେଇଛି। ଫଳରେ ଜନତା ଅବହେଳିତ ହୋଇପଡିଥିବା ବେଳେ ସରକାରଙ୍କ ଜନମାରଣ ନୀତି ଓ ଆଇନ ସେମାନଙ୍କୁ ତଳିତଳାନ୍ତ କରିଦେଇଛି ବୋଲି ରାହୁଲ କହିଛନ୍ତି।

ଏହି ଅବସରରେ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ବିଫଳତା ଗଣାଇବା ସହ ମୋଦିଙ୍କ ଜନ୍ମଦିନକୁ କେଉଁ ନାମ ଦିଆଯିବ ବୋଲି ପ୍ରଶ୍ନ କରିଛନ୍ତି। ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କ ଜୟନ୍ତୀକୁ ସାରା ଦେଶରେ ଶିଶୁ ଦିବସ ଭାବେ ପାଳନ କରାଯାଉଛି। ସେହିପରି ଇନ୍ଦିରା ଗାନ୍ଧିଙ୍କ ଜୟନ୍ତୀକୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଉଛି। ରାଜୀବଙ୍କ ଜୟନ୍ତୀକୁ ଦେଶ ସଦଭାବନା ଦିବସ ଭାବେ ପାଳନ କରୁଥିବା ବେଳେ ପ୍ରଥମ ଏନଡିଏ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀକୁ ଦେଶରେ ସୁଶାସନ ଦିବସ ଭାବେ ପାଳିତ ହେଉଥିବା ଶ୍ରୀନେତ କହିଛନ୍ତି।

କଂଗ୍ରେସ ମୁଖପାତ୍ର କହିଛନ୍ତି ଯେ ଗତ ୭ ବର୍ଷରେ ଆଖି ଆଗରେ ରୋଜଗାର ଲାଗି ଦ୍ୱାର ଦ୍ୱାର ବୁଲୁଥିବା ଯୁବକ, ଶୋଷିତ ଚାଷୀ, ବନ୍ଦ ଉଦ୍ୟୋଗ, ଅକ୍ସିଜେନ ଲାଗି ଛଟପଟ ହୋଇ ମରୁଥିବା ଲୋକେ, ଦରବୃଦ୍ଧିରେ ହନ୍ତସନ୍ତ ହେଉଥିବା ଜନତା,ଗ୍ୟାସ୍‌ ଛାଡି ଚୁଲି ଫୁଙ୍କୁଥିବା ମହିଳା, ବଡ଼ ସରକାରୀ ଉଦ୍ୟୋଗ ଅନ ସେଲ୍ ବୋଲି କହିଛନ୍ତି।

Leave A Reply

Your email address will not be published.