Odisha Link
Bridging the Missing Links in Odisha

ଆଉ ନାହାନ୍ତି ପଦ୍ମଶ୍ରୀ ନନ୍ଦ ସାର: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିଲେ ଶତାୟୁ ଶିକ୍ଷକ ନନ୍ଦ ସାର।

ଭୁବନେଶ୍ବର: ପରଲୋକରେ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି। ମଙ୍ଗଳବାର ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷକ ନନ୍ଦ କିଶୋର ପୃଷ୍ଟି। ମୃତ୍ୟୁ ବେଳକୁ ତାଙ୍କୁ ୧୦୩ ବର୍ଷ ବୟସ ହୋଇଥିଲା।

ଅସୁସ୍ଥ ହେବା ପରେ ଗତ ଗତ ୩୦ ତାରିଖରେ ପ୍ରଥମେ ଯାଜପୁର ରୋଡ୍ ସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ନନ୍ଦ ସାର। ପରେ ସେ ଭୁବନେଶ୍ବର ସମ୍ ହସ୍ପିଟାଲ ସ୍ଥାନାନ୍ତର ହୋଇଇଥିଲେ। କୋଭିଡ ଆକ୍ରାନ୍ତ ହେବା ପରେ କଳିଙ୍ଗନଗରସ୍ଥିତ ଟାଟା କୋଭିଡ୍ ହସ୍ପିଟାଲ ଠାରେ ନନ୍ଦ ସାରଙ୍କୁ ଭର୍ତ୍ତି କରାଯାଇଥିଲା।

ସୂଚନାଯୋଗ୍ୟ, ଗତ ନଭେମ୍ବର ୯ ତାରିଖରେ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିଲେ ଶତାୟୁ ଶିକ୍ଷକ ନନ୍ଦ ସାର। ପୁରସ୍କାର ଗ୍ରହଣ କରିବା ଅବସରରେ ତାଙ୍କର ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ କରିବା ଦୃଶ୍ୟକୁ ନେଇ ଚର୍ଚ୍ଚା ହୋଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନନ୍ଦ ସାରଙ୍କୁ ମନେ ପକାଇ ଶୋକ ପ୍ରକାଶ କରିଛନ୍ତି। ନରେନ୍ଦ୍ର ମୋଦୀ ଓଡ଼ିଆରେ ଟ୍ୱିଟ କରି ଲେଖିଛନ୍ତି, ଶ୍ରୀଯୁକ୍ତ ନନ୍ଦ ପୃଷ୍ଟିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ। ଓଡ଼ିଶାରେ ଶିକ୍ଷାର ପ୍ରସାର ପାଇଁ ସମ୍ମାନନୀୟ ନନ୍ଦ ସାରଙ୍କ ଉଦ୍ୟମ ଅନେକ ପିଢ଼ି ପର୍ୟ୍ୟନ୍ତ ସ୍ମରଣୀୟ ହୋଇ ରହିବ। ଗତ କିଛି ସପ୍ତାହ ପୂର୍ବରୁ ଆୟୋଜିତ ପଦ୍ମ ପୁରସ୍କାର ସମାରୋହରେ ସେ ଦେଶର ଦୃଷ୍ଟି ଆକର୍ଷଣ କରିବା ସହ ଦେଶବାସୀଙ୍କ ଶ୍ରଦ୍ଧାର ପାତ୍ର ହୋଇଥିଲେ।

ସେହିପରି ଅମିତ ଶାହା ଟ୍ୱିଟ କରି ଲେଖିଛନ୍ତି, ନନ୍ଦ କିଶୋର ପୃଷ୍ଟି ଜୀଙ୍କ ବିୟୋଗରେ ମୁଁ ଗଭୀର ଭାବେ ଦୁଃଖିତ। ଓଡ଼ିଶାର ପିଲା ମାନଙ୍କୁ ମାଗଣା ଶିକ୍ଷାଦାନରେ ତାଙ୍କର ଅଗ୍ରଣୀ ଭୂମିକା ପାଇଁ ନିକଟ ଅତୀତରେ ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ। ଏହି ମହାନ ବ୍ୟକ୍ତିଙ୍କର ନିଃସ୍ୱାର୍ଥପର ସେବା ପାଇଁ ସାରା ଦେଶରେ ସେ ଚିର ସ୍ମରଣୀୟ ହୋଇ ରହିବେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଲେଖିଛନ୍ତି, ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷକ ନନ୍ଦ କିଶୋର ପୃଷ୍ଟିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଶିକ୍ଷା କ୍ଷେତ୍ରରେ ବହୁମୂଲ୍ୟ ଅବଦାନ ଏବଂ ତାଙ୍କ ଜୀବନ ବ୍ୟାପୀ ତ୍ୟାଗ ଚିର ଆଦର୍ଶ ହୋଇରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ଲେଖିଛନ୍ତି, ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ତଥା ନନ୍ଦ ସାରଙ୍କ ବିୟୋଗରେ ମୁଁ ଦୁଃଖିତ ଓ ମର୍ମାହତ । ବିନା ପାରିଶ୍ରମିକରେ ତିନି ପିଢ଼ି ଧରି ନିରବଚ୍ଛିନ୍ନ ଭାବେ ଛୋଟ ଛୋଟ ପିଲାଙ୍କୁ ଶିକ୍ଷାଦାନ କରି ଆସୁଥିବା ନନ୍ଦ ସାରଙ୍କ ବିୟୋଗ କେବଳ ଓଡ଼ିଶା ନୁହେଁ ବରଂ ସମଗ୍ର ଭାରତର ଶିକ୍ଷା ସମାଜ ପାଇଁ ଅପୂରଣୀୟ କ୍ଷତି । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।

Leave A Reply

Your email address will not be published.