ନୀତି ଆୟୋଗ ବୈଠକ: ଯୋଗଦେବେନି ଏହି ୬ ମୁଖ୍ୟମନ୍ତ୍ରୀ
କେଜ୍ରିୱାଲ କହିଛନ୍ତି, ଯେଉଁଠି ସଂଘୀୟ ବ୍ୟବସ୍ଥା ପ୍ରହସନରେ ପରିଣତ ହୋଇଛି, ସେଠି ନୀତି ଆୟୋଗ ବୈଠକରେ ଯୋଗଦେବାର ଅର୍ଥ କଣ।

ଓଏଲ୍ ବ୍ୟୁରୋ: ଆଜି ନୂଆଦିଲ୍ଲୀରେ ନୀତି ଆୟୋଗର ସାଧାରଣ ପରିଷଦ ବୈଠକ ଆୟୋଜିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ। ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ, ମହିଳା ଶସକ୍ତୀକରଣ ଏବଂ ବିକାଶ ଭିତ୍ତିଭୂମି ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା। ତେବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ଭାରତର ୬ ମୁଖ୍ୟମନ୍ତ୍ରୀ।
ନୀତି ଆୟୋଗର ସାଧାରଣ ପରିଷଦ ବୈଠକରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯୋଗ ଦେବେନାହିଁ ବୋଲି ଘୋଷଣା କରିଛନ୍ତି। କେଜ୍ରିୱାଲ କହିଛନ୍ତି, ଯେଉଁଠି ସଂଘୀୟ ବ୍ୟବସ୍ଥା ପ୍ରହସନରେ ପରିଣତ ହୋଇଛି, ସେଠି ନୀତି ଆୟୋଗ ବୈଠକରେ ଯୋଗଦେବାର ଅର୍ଥ କଣ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣା ପଡିଛି। ଓଡ଼ିଶାକୁ ସ୍ବତନ୍ତ୍ର ସହାୟତା ପ୍ରଦାନ କରିବା ପାଇଁ ଓଡ଼ିଶାର ପୂର୍ବ ଦାବିକୁ ମୁଖ୍ୟମନ୍ତ୍ରୀ ପୁନର୍ବାର ଦୋହରାଇବେ ବୋଲି ଆଶା କରାଯାଉଛି। ଏହାସହ ରାଜ୍ୟର କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି ସୂଚନା ରହିଛି। ତେବେ ରାଜ୍ୟର ପରିସ୍ଥିତିକୁ ସୁଦୃଢ଼ କରିବା ପାଇଁ ଓଡ଼ିଶାକୁ ସ୍ବତନ୍ତ୍ର ସହାୟତା ପ୍ରଦାନ ପାଇଁ ଦିଲ୍ଲୀରେ ଆୟୋଜିତ ନିତି ଆୟୋଗର ସାଧାରଣ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ।