Odisha Link
Bridging the Missing Links in Odisha

ଆଜି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ, ଜାଣନ୍ତୁ ମାନବ ଶରୀରରେ ଲୋକପ୍ରିୟ ଫାଷ୍ଟଫୁଡର ପ୍ରଭାବ

ଫାଷ୍ଟଫୁଡ କିମ୍ବା ଜଙ୍କ ଫୁଡ ଶରୀର ପାଇଁ ଘାତକ ପ୍ରମାଣିତ ହେଉଛି।

ଓଏଲ୍‌ ବ୍ୟୁରୋ: ଆଜି ବିଶ୍ଵ ଖାଦ୍ୟ ସୁରକ୍ଷା ଦିବସ। ଖାଦ୍ୟ, ବସ୍ତ୍ର, ବାସଗୃହ ମଣିଷର ମୌଳିକ ଆବଶ୍ୟକତା। ପ୍ରତିବର୍ଷ ଜୁନ୍ ୭ ତାରିଖକୁ ‘ଖାଦ୍ୟ ସୁରକ୍ଷା ଦିବସ’ ଭାବେ ପାଳନ କରାଯାଉଛି। ସୁସ୍ଥ ଓ ପୁଷ୍ଟିକର ଖାଦ୍ୟ ଅଭାବରୁ ଜଣେ ରୋଗାକ୍ରାନ୍ତ ହେବାର ଆଶଙ୍କା ଅଧିକ ରହିଥାଏ। ମଣିଷ ସୁଖରେ ଜୀବନ ଜିଇଁବା ପାଇଁ ତଥା ନିରୋଗୀ ରହିବା ପାଇଁ ସନ୍ତୁଳିତ ଓ ପୁଷ୍ଟିକର ଖାଦ୍ୟ ଖାଇବା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି।

ଖାଦ୍ୟ ଓ କୃଷି ସଙ୍ଗଠନ ସହଯୋଗରେ ମିଳିତ ଜାତିସଂଘର ସାଧାରଣ ସଭା ଦ୍ୱାରା ଡିସେମ୍ବର ୨୦୧୮ରେ ଏହି ଦିନ ପାଇଁ ଘୋଷଣା କରାଯାଇଥିଲା। ୨୦୧୯ ମସିହାରେ ପ୍ରଥମ ଥର ଜୁନ୍ ୭ ତାରିଖକୁ ‘ଖାଦ୍ୟ ସୁରକ୍ଷା ଦିବସ’ ଭାବେ ପାଳନ କରାଗଲା। ଏହାପୂର୍ବରୁ ଅକ୍ଟୋବର ୧୬ ତାରିଖକୁ ଖାଦ୍ୟ ସୁକ୍ଷା ଦିବସ ଭାବେ ପାଳନ କରାଯାଉଥିଲା। ଏହି ଦିବସକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା ପ୍ରଥମେ ଆରମ୍ଭ କରାଯାଇଥିଲା। ଏହି ଦିନ ଖାଦ୍ୟ ସୁରକ୍ଷା ବାବଦରେ ଲୋକଙ୍କୁ ସଚେତନ କରାଯାଏ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ରିପୋର୍ଟ ମୁ୍ତାବକ, ପ୍ରତିବର୍ଷ ପ୍ରଦୂଷିତ ଖାଦ୍ୟ ଖାଇବା ଯୋଗୁଁ ୪ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହେଉଛି। ଆମ ପ୍ରତିଦିନ ଅନେକ ପ୍ରକାର ଖାଦ୍ୟ ଖାଇଥାଉ ଯାହା ପାଟିକୁ ସ୍ୱାଦକର ଲାଗୁଥିଲେ ବି ଦେହକୁ ପାଇଁ କ୍ଷତିକାରକ। ଆଜିକାଲି ଲୋକପ୍ରିୟ ପାଲଟିଥିବା ଫାଷ୍ଟଫୁଡ କିମ୍ବା ଜଙ୍କ ଫୁଡ ଶରୀର ପାଇଁ ଘାତକ ପ୍ରମାଣିତ ହେଉଛି। ପୁଷ୍ଟିକର ଖାଦ୍ୟ ଅଭାବରୁ ପିଲାମାନେ ବିଶେଷ ଭାବରେ ଅନେକ ପ୍ରକାର ଶାରୀରିକ ସମସ୍ୟାର ଶିକାର ହୋଇଥାନ୍ତି।

ସ୍ବାସ୍ଥ୍ୟ ସମସ୍ୟାର ଅନ୍ୟତମ କାରଣ ହେଉଛି ଖାଦ୍ୟରେ ଫାଇବରର ଅଭାବ। ଫାଇବରରେ ଭରପୂର ଖାଦ୍ୟ ପିଲାମାନଙ୍କର ହଜମ ପାଇଁ ଭଲ। ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ସହିତ ସନ୍ତୁଳିତ ଓ ପୁଷ୍ଟିକର ଖାଦ୍ୟଗୁଡ଼ିକ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟାକୁ ମଧ୍ୟ ଦୂର କରିଥାଏ। ଏହି ଦିବସର ପାଳନ ଏକ ଥିମ୍‌ ଆଧାରରେ ହୋଇଥାଏ। ଚଳିତ ୨୦୨୩ ବର୍ଷ ପାଇଁ ଏହି ଦିବସର ଥିମ ହେଉଛି ଫୁଡ ଷ୍ଟାଣ୍ଡାର୍ଡସ ସେଭ୍‌ ଲାଇଫ୍‌ ଅର୍ଥାତ ଜୀବନ ରକ୍ଷା କରେ ଖାଦ୍ୟର ମାନ। ଅପମିଶ୍ରିତ ଖାଦ୍ୟଠାରୁ ଦୂରେଇ ରହିବା ଏବଂ ଏନେଇ ସଚେତନତା ସୃଷ୍ଟି କରିବା ଲାଗି ଏହି ଥିମ ଉଦ୍ଦିଷ୍ଟ।

Leave A Reply

Your email address will not be published.