Odisha Link
Bridging the Missing Links in Odisha

ଯାତ୍ରୀବାହୀ ଟ୍ରେନ୍‌ ଲାଇନଚ୍ୟୁତ୍‌: ଏପର୍ଯ୍ୟନ୍ତ ଗଲାଣି ୨୨ ଜୀବନ; ୫୦ରୁ ଅଧିକ ଆହତ

ଓଏଲ୍‌ ବ୍ୟୁରୋ: ବାଲେଶ୍ବର ଟ୍ରେନ୍‌ ଟ୍ରାଜେଡି ବିଶ୍ବବାସୀଙ୍କ ମନରୁ ଲିଭି ନଥିବା ବେଳେ ଆଜି ପାକିସ୍ତାନରେ ହୋଇଛି ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା। ଆଜି ପାକିସ୍ତାନରେ ଗୋଟିଏ ଯାତ୍ରୀବାହୀ ଟ୍ରେନ୍‌ର ୧୦ଟି ବଗି ଲାଇନଚ୍ୟୁତ ହୋଇଯାଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି। ଏବେ ବି ଲାଇନଚ୍ୟୁତ ହୋଇଥିବା ବଗି ତଳେ ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ଉଦ୍ଧାର ଉଦ୍ୟମ ଜାରି ରହିଛି।ଶହଜାଦପୁର ଓ ନୱାବଶାହ ମଧ୍ୟରେ ଥିବା ସହାରା ରେଳ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି।

ଏହି ଦୁର୍ଘଟଣାରେ ପ୍ରଭାବିତ ଲୋକଙ୍କୁ ନୱାବଶାହ ମେଡିକାଲରେ ଭର୍ତ୍ତି କରାଯାଇଛି। ଟ୍ରେନ ଲାଇନଚ୍ୟୁତ ହେବାର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ଅଧିକାରୀମାନେ ତଦନ୍ତ କରୁଛନ୍ତି। ଟ୍ରେନଟି କରାଚିରୁ ଅବୋଟ୍ଟାବାଦ ଯାଉଥିଲା। ତେବେ ଅଧା ରାସ୍ତାରେ ସବୁ କିଛି ଓଲଟପାଲଟ ହୋଇଯାଇଛି।

ସୂଚନାଥାଉକି, ୧୦ ଜଣ ଷ୍ଟେସନ ହାଉସ ଅଫିସର, ୪ ଜଣ ଡିଏସ୍‌ପି ଓ ୧୦୦ରୁ ଅଧିକ ପୁଲିସ୍‌ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏହି ଯାତ୍ରୀବାହୀ ଟ୍ରେନରେ ମୋଟ ୧୭ଟି ବଗି ରହିଥିଲା। ଏହାର ଇକୋନୋମି କ୍ଲାସରେ ୯୫୦ ଜଣ ଓ ଏସି କୋଚ୍‌ରେ ୭୨ ଜଣ ବସିବାର ବ୍ୟବସ୍ଥା ରହିଛି। ତେଣୁ ମୃତାହତଙ୍କ ସଂଖ୍ୟା ଆଗକୁ ବଢ଼ିବାର ଆଶଙ୍କା ରହିଛି।

Leave A Reply

Your email address will not be published.