Odisha Link
Bridging the Missing Links in Odisha

୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ହେଲେ ଭିକେ ପାଣ୍ଡିଆନ

ଓଏଲ୍‌ ବ୍ୟୁରୋ: ସ୍ବେଚ୍ଛାକୃତ ଅବସର ନେଲେ ୫-ଟି ସଚିବ ଭିକେ ପାଣ୍ଡିଆନ୍। ଅବସର ନେବାର ୨୪ ଘଣ୍ଟା ନପୁରୁଣୁ ଶ୍ରୀ ପାଣ୍ଡିଆନଙ୍କୁ ଗୁରୁଦାୟିତ୍ବ ଦେଲେ ଓଡ଼ିଶା ସରକାର।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୨୦୦୦ ମସିହା ବ୍ୟାଚ୍‌ ଆଇଏଏସ୍‌ ଅଫିସର ଭିକେ ପାଣ୍ଡିଆନଙ୍କୁ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ପାଇଁ ସୋମବାର ଅନୁମତ ମିଳିଥିଲା। ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ପାଣ୍ଡିଆନ ସରକାରୀ ଚାକିରି ଛାଡ଼ିବାକୁ ନେଇ ରାଜନୀତିକ ମହଲରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ଏସବୁ ମଧ୍ୟରେ ଶ୍ରୀ ପାଣ୍ଡିଆନ୍‌ଙ୍କୁ ମିଳିଛି ଗୁରୁ ଦାୟିତ୍ବ।

୫-ଟି ସଚିବ ଥିବା ଶ୍ରୀ ପାଣ୍ଡିଆନ୍‌ ଆଜିଠୁ ୫-ଟି ଅଧ୍ୟକ୍ଷ ହେଲେ। ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ପରେ ଭିକେ ପାଣ୍ଡିଆନଙ୍କୁ ୫-ଟି ଅଧ୍ୟକ୍ଷ ନିଯୁକ୍ତି ମିଳିଛି। ପାଣ୍ଡିଆନ ୫-ଟିଓ ନବୀନ ଓଡ଼ିଶାର ଚେୟାରମ୍ୟାନ ହୋଇଥିବା ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପାଇଛି। ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧିନରେ ସିଧା କାମ କରିବେ। ମୁଖ୍ୟମନ୍ତ୍ରୀଙ୍କୁ ସେ ରିପୋର୍ଟ ପ୍ରଦାନ କରିବେ। ଏହା ସହ ପାଣ୍ଡିଆନଙ୍କୁ କ୍ୟାବିନେଟ ପାହ୍ୟା ମଧ୍ୟ ମିଳିଛି।

ସୂଚନାଥାଉକି, ଶ୍ରୀ ପାଣ୍ଡିଆନ ଅକ୍ଟୋବର ୨୦ତାରିଖରେ ସରକାରୀ ଚାକିରିରୁ ଅବସର ନେବା ପାଇଁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ଆବେଦନ କରିଥିଲେ। ତାଙ୍କର ଆବେଦନକୁ ସୋମବାର କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଅନୁସଚିବ ଭୂପିନ୍ଦର ପାଲ ସିଂ ଆଜି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଅବଗତ କରିଛନ୍ତି।

୨୦୦୦ ବ୍ୟାଚ୍ ଆଇଏଏସ୍ ଶ୍ରୀ ପାଣ୍ଡିଆନ ପଞ୍ଜାବ କ୍ୟାଡ଼ରରେ ନିଯୁକ୍ତି ପାଇଥିଲେ। ପରେ ଓଡ଼ିଶା କ୍ୟାଡ଼ରର ସୁଜାତା ରାଉତଙ୍କୁ ପ୍ରେମ ବିବାହ କରିବା ପରେ ସେ ନିଜର କ୍ୟାଡ଼ର ପରିବର୍ତ୍ତନ କରି ଓଡ଼ିଶା ଆସିଥିଲେ। ୨୦୦୨ରୁ ୨୦୦୪ ମସିହା ପର୍ଯ୍ୟନ୍ତ ସେ କଳାହାଣ୍ଡି ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ। ୨୦୦୫ରୁ ୨୦୦୭ ମାର୍ଚ୍ଚ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାପାଳ, ୨୦୦୭ ଏପ୍ରିଲ ୯ରୁ ୨୦୧୧ ଏପ୍ରିଲ ୨୯ତାରିଖ ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟ କରିଥିଲେ। ଗଞ୍ଜାମ ଜିଲ୍ଲାପାଳ ଭାବେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସଥିଲେ ଓ ୨୦୧୧ ମେ’ ମାସରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଯୋଗ ଦେଇଥିଲେ। ସେବେଠୁ ସେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ ଗତ ୩ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ ଉଭୟ ଦାୟିତ୍ୱ ତୁଲାଉଥିଲେ।

Leave A Reply

Your email address will not be published.