କଳାହାଣ୍ଡିରେ ଗଡ଼ିଲା ଲକ୍ଷ୍ମୀ ବସ୍, ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଓଏଲ୍ ବ୍ୟୁରୋ: ଆଜି କଳାହାଣ୍ଡି ଜିଲ୍ଲାର ପ୍ରତିଷ୍ଠା ଦିବସ। ଏହି ଅବସରରେ ଜିଲ୍ଲାର ରୂପାନ୍ତରଣ ପ୍ରକ୍ରିୟାକୁ ଆଗେଇ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହିତ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୨୦୦ କୋଟି ଟଙ୍କାର ଭେଟି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ କଳାହାଣ୍ଡିର ସରକାରୀ ମେଡିକାଲ କଲେଜର ଅସ୍ଥାୟୀ ହେଲିପ୍ୟାଡ୍ରେ ଅବତରଣ କରିଛନ୍ତି। ମେଡିକାଲ କଲେଜର ଅଡିଟୋରିୟମ୍ରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଯୋଗଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଉଭୟ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜକୁ ଉଦ୍ଘାଟନ କରିଛନ୍ତି।
ମେଡିକାଲ କଲେଜ ପରିସରରେ ଉଦ୍ଘାଟନୀ ସଭା ଶେଷ ହେବା ପରେ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପଡ଼ିଆରେ ପହଞ୍ଚିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ‘ଲକ୍ଷ୍ମୀ ବସ୍’ର ଶୁଭ ଉଦଘାଟନ କରିଛନ୍ତି। ଗସ୍ତ କାଳରେ ପ୍ରାୟ ୧୨୦୦ କୋଟି ଟଙ୍କାର ବୃହତ୍ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ଲକ୍ଷ୍ମୀ ବସ୍ରେ ମୁଖ୍ୟମନ୍ତ୍ରୀ ଗୁଡ଼ିଆଳି ପଞ୍ଚାୟତର ବଳରାମପୁରକୁ ଯାଇ ବସ୍ଷ୍ଟପ୍ର ଉଦ୍ଘାଟନ କରିଛନ୍ତି। ସେଠାରୁ ସେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିଯିବା କାର୍ଯ୍ୟକ୍ରମ ରହିଛି।