Odisha Link
Bridging the Missing Links in Odisha

୫ ମାସ ହେଲା ସରୁନି ୟୁଜି ନାମଲେଖା

ଓଏଲ୍‌ ବ୍ୟୁରୋ: ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଏକକ ଶିକ୍ଷା କ୍ୟାଲେଣ୍ଡର ଲାଗୁ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲା। ହେଲେ ଖୋଦ୍‌ ଉଚ୍ଚଶିକ୍ଷା ବିଭାଗ ନିଜେ କରିଥିବା ନିୟମକୁ ଉଲ୍ଲଂଘନ କରିଚାଲିଛି।ଯେଉଁ ସମୟରେ ପ୍ରଥମ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବା କଥା ସେତେବେଳେ ନାମଲେଖା ପ୍ରକ୍ରିୟା ଜାରି ରହିଛି। ଯାହାକି ଶେଷ ହେବାକୁ ଆହୁରି ୯ ଦିନ ସମୟ ଲାଗିବ। ନୂତନ ଭାବେ ନାମ ଲେଖାଉଥିବା ପିଲାମାନେ କେବେ ପଢ଼ିବେ ଓ କେମିତି ପରୀକ୍ଷା ଦେବେ ସେନେଇ ପ୍ରଶ୍ନ ଉଠିଛି।

ୟୁଜି(ସ୍ନାତକ) ନାମଲେଖା ପାଇଁ ଜୁନ୍‌ ୧୯ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜୁଲାଇ ୪ ପର୍ଯ୍ୟନ୍ତ ଚାଲିଥିଲା। ୬ ରାଉଣ୍ଡରେ ହୋଇଥିବା ନାମଲେଖା ପ୍ରକ୍ରିୟା ଏତେ ଜଟିଳ ଥିଲା ଯେ ଆବେଦନକାରୀ କିଛି ବୁଝିପାରି ନ ଥିଲେ।ପ୍ରତି ରାଉଣ୍ଡରେ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଥିବା ନଜରକୁ ଆସିବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସେପ୍ଟେମ୍ବର ୨ରେ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ସହ ୧୧ ତାରିଖରେ ସଂଶୋଧିତ ଗାଇଡ୍‌ଲାଇନ୍‌ ଜାରି ହୋଇଥିଲା।

ନଭେମ୍ବର ୧ରେ ତୃତୀୟ ପର୍ଯ୍ୟାୟ ନାମଲେଖା ଲାଗି ବିଜ୍ଞପ୍ତି ପ୍ରକାଶ ସହ ନାମଲେଖା ପ୍ରକ୍ରିୟା ଏବେ ମଧ୍ୟ ଜାରି ‌ରହିଛି। ସେପଟେ ଶିକ୍ଷା କ୍ୟାଲେଣ୍ଡର ଅନୁଯାୟୀ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଅଡ୍‌ ସେମିଷ୍ଟର(୧ମ/୩ୟ/୫ମ) ପରୀକ୍ଷା ହେବା କଥା। ମାତ୍ର ପିଲାଙ୍କ ନାମଲେଖା ଏପର୍ଯ୍ୟନ୍ତ ହୋଇପାରି ନାହିଁ। ଯାହା ଏବେ ଚର୍ଚ୍ଚାର କାରଣ ପାଲଟିଛି।

ଅପରପକ୍ଷେ ବାର୍ଷିକ କ୍ରୀଡ଼ା/ସାଂସ୍କୃତିକ ପ୍ରତିଯୋଗିତା, ଅନ୍ତଃବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା, ପ୍ରତି ସପ୍ତାହରେ ସେମିନାର ପରି କାର୍ଯ୍ୟକ୍ରମ କରିବାକୁ ଶିକ୍ଷାନୁଷ୍ଠାନଗୁଡ଼ିକୁ କୁହାଯାଇଛି। ରାଜ୍ୟ ସରକାର ସରକାରୀ ଓ ଅନୁଦାନପ୍ରାପ୍ତ ୩୦୫ରୁ ଅଧିକ ଡିଗ୍ରି ମହାବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାବଦରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦୃଷ୍ଟିରୁ ପ୍ରତି ମହାବିଦ୍ୟାଳୟକୁ ୪ରୁ ୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଦିଆଯାଇଥିବା ଅର୍ଥରେ ନଭେମ୍ବର ଓ ଡିସେମ୍ବର ମାସରେ କ୍ରୀଡ଼ା, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ସହ ଜଡ଼ିତ ବିଭିନ୍ନ ପ୍ରତିଯୋଗିତା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରିବେ। କଲେଜରେ ଯେଉଁ କାର୍ଯ୍ୟକ୍ରମ ହେବ ତାହାର ନାଁ ‘#ନୂଆ-ଓ’ ରଖାଯାଇଛି।

Leave A Reply

Your email address will not be published.