Odisha Link
Bridging the Missing Links in Odisha

ଏଣିକି ହାତ ପାଆନ୍ତାରେ ‘ଆମ ବ୍ୟାଙ୍କ’ ସେବା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବ୍ୟାଙ୍କ ସୁବିଧା ନ ଥିବା ଅଞ୍ଚଳ ପାଇଁ ଯୁଗାନ୍ତକାରୀ ‘ଆମ ବ୍ୟାଙ୍କ’ ଯୋଜନା ଆରମ୍ଭ କରିଛନ୍ତି। ଏହାଦ୍ବାରା ବ୍ୟାଙ୍କ ସୁବିଧା ନ ଥିବା ୪୩୭୩ ପଞ୍ଚାୟତରେ ଲୋକମାନେ ବ୍ୟାଙ୍କିଙ୍ଗ ସୁବିଧା ପାଇବେ। ୨୦୨୪ ମାର୍ଚ୍ଚ ସୁଦ୍ଧା ଏହି ସମସ୍ତ ପଞ୍ଚାୟତକୁ ବ୍ୟାଙ୍କ ସୁବିଧା ପହଞ୍ଚିବ । ଆଜି ପ୍ରଥମ ପର୍ଯ୍ୟାୟରେ ୭୫୪ଟି ପଞ୍ଚାୟତରେ ଆମ ବ୍ୟାଙ୍କ ସୁବିଧା ଆରମ୍ଭ ହେଲା । ଏହି କାର୍ଯ୍ୟକ୍ରମକୁ ରାଜ୍ୟର ୧୦୦୦ଟି ସ୍ଥାନରେ ୪ ଲକ୍ଷ ଲୋକ ସିଧାପ୍ରସାରଣ ଜରିଆରେ ଲାଇଭ ଦେଖିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ବ୍ୟାଙ୍କ ମଡେଲ ସାରା ଦେଶରେ ପ୍ରଥମ। ଏହି ବ୍ୟାଙ୍କିଙ୍ଗ ମଡେଲ ସାରା ଦେଶ ପାଇଁ ଏକ ରୋଲ ମଡେଲ ହେବ ବୋଲି ସେ ମତ ହେବା ସହିତ ଏକ ନୂଆ ଓଡିଶା, ସଶକ୍ତ ଓଡିଶା ଗଠନ ପାଇଁ ଆହ୍ବାନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ୬ଟି ରାଷ୍ଟ୍ରାୟତ ବ୍ୟାଙ୍କ ଯୋଡି ହୋଇଛନ୍ତି। ଏମାନେ ହେଲେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ୟୁନିଅନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓ ବ୍ୟାଙ୍କ ଅଫ୍‌ ବରୋଦା. ଆମ ବ୍ୟାଙ୍କ ଗୁଡିକ ଲୋକଙ୍କୁ ୧୫ ପ୍ରକାର ବ୍ୟାଙ୍କ ସେବା ଯୋଗାଇ ଦେବେ ।

ସୂଚନାଯୋଗ୍ୟ ଯେ ରାଜ୍ୟର ସମୁଦାୟ ୬୭୯୮ ଗ୍ରାମ ପଞ୍ଚାୟତ ମଧ୍ୟରୁ ପ୍ରାୟ ୬୫ ପ୍ରତିଶତ ବା ୪୩୭୩ଟି ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସୁବିଧା ନାହିଁ । ଲୋକଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ବ୍ୟାଙ୍କ ସୁବିଧା ଏକ ଜରୁରୀ ଆବଶ୍ୟକତା ହୋଇଥିବାରୁ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବ୍ୟାଙ୍କ ମାନଙ୍କୁ ସମସ୍ତ ସୁବିଧା ପ୍ରଦାନ କରି ୬ ମାସ ମଧ୍ୟରେ ସବୁ ବ୍ୟାଙ୍କ ନ ଥିବା ପଞ୍ଚାୟତରେ ଗ୍ରାହକ ସୁବିଧା କେନ୍ଦ୍ର ଯୋଜନା ଆରମ୍ଭ କରିଛନ୍ତି । ଏହା ‘ଆମ ବ୍ୟାଙ୍କ’ ଭାବରେ ଲୋକଙ୍କୁ ସେବା ଯୋଗାଇଦେବ । ଏଥିପାଇଁ ରାଜ୍ୟ ସରକାର ଏହିସବୁ ପଞ୍ଚାୟତରେ ବ୍ୟାଙ୍କ ମାନଙ୍କୁ ଆସନ୍ତା ୫ ବର୍ଷ ପାଇଁ ଘର (Banking space), ବିଦ୍ୟୁତ ବ୍ୟବସ୍ଥା, ଇଣ୍ଟରନେଟ ଯୋଗାଯୋଗ ଏବଂ ଅନ୍ୟାନ୍ୟ ଆନୁସଂଗିକ ସୁବିଧା ଯୋଗାଇ ଦେବେ ।

ଏହି କାର୍ଯ୍ୟକ୍ରମକୁ ଅନ୍‌ଲାଇନ ଜରିଆରେ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ମୁଁ ଚାହେଁ ରାଜ୍ୟର ସବୁ ଲୋକ ଆର୍ଥିକ ଅନ୍ତର୍ଭୁକ୍ତିକରଣର ସୁବିଧା ପାଆନ୍ତୁ । ଜମିପଟ୍ଟା, ଆଧାର କାର୍ଡ, ଭୋଟର ଆଇଡି କାର୍ଡ ପରି ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖୁବ ଜରୁରୀ । ଘର ପାଖରେ ବ୍ୟାଙ୍କ ସୁବିଧା ମିଳିଲେ, ଆମର କାଳିଆ, ମମତା, ମଧୁବାବୁ ପେନ୍‌ସନ ପରି ଛୋଟ ଛୋଟ ବ୍ୟବସାୟୀଙ୍କ ପାଇଁ ଋଣ ଆଦି ସୁବିଧା ଲୋକଙ୍କ ପାଖରେ ସିଧାସଳଖ ଓ ସୁବିଧାରେ ଉପଲବ୍‌ଧ ହୋଇପାରିବ । ଏହା ହିଁ ଆମ 5T ନୀତିର ମୁଖ୍ୟ ଲକ୍ଷ୍ୟ । ତେଣୁ ଆମ ବ୍ୟାଙ୍କ ଲୋକଙ୍କ ଅର୍ଥନୈତିକ ସଶକ୍ତିକରଣ ଦିଗରେ ଆଉ ଏକ ମାଇଲଷ୍ଟୋନ ହେବ ବୋଲି ଦୃଢୋକ୍ତି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ଗାଁ ରେ ରହୁଥିବା ଲକ୍ଷ ଲକ୍ଷ ଲୋକ ଆର୍ଥିକ ଦୃଷ୍ଟିରୁ ସଶକ୍ତ ହୋଇପାରିବେ ।

Leave A Reply

Your email address will not be published.