Odisha Link
Bridging the Missing Links in Odisha

ପଦ୍ମ ପୁରସ୍କାର ୨୦୨୪: ଓଡ଼ିଶାର ଏହି ୪ ଜଣ ପାଇଲେ ପଦ୍ମଶ୍ରୀ, କିଏ ସେମାନେ ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ୭୫ ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ମର୍ଯ୍ୟାଦାଜନକ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି ଭାରତ ସରକାର। ଚଳିତଥର ମୋଟ ୧୩୨ ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତି କରାଯାଇଛି। ୫ ଜଣ ପଦ୍ମ ବିଭୂଷଣ, ୧୭ ଜଣ ପଦ୍ମଭୂଷଣ ଏବଂ ୧୧୦ ଜଣ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବେ। ୧୩୨ ଜଣଙ୍କ ମଧ୍ୟରେ ୩୦ ଜଣ ମହିଳା ସ୍ଥାନ ପାଇଥିବା ବେଳେ ୮ ଜଣ ବିଦେଶୀ ଏବଂ ୯ଟି ମରୋଣତତ୍ତର ରହିଛି।

ଓଡ଼ିଶାରୁ ୪ ଜଣ ପଦ୍ମଶ୍ରୀ ପୁରସ୍କାର ପାଇବେ। କଳା କ୍ଷେତ୍ରରେ ଓଡ଼ିଶାର ଲୋକନାଟକ କୃଷ୍ଣ ଲୀଳାର ସଂଗୀତକାର ଗୋପୀନାଥ ସ୍ବାଇଁ ପାଇବେ ୨୦୨୪ ପଦ୍ମ ପୁରସ୍କାର। ସେହିପରି କଳା କ୍ଷେତ୍ରରେ ଓଡ଼ିଶାର ଭଗବତ ପ୍ରଧାନ ମଧ୍ୟ ପାଇବେ ପଦ୍ମଶ୍ରୀ ପୁରସ୍କାର। ଲୋକତୃତ୍ୟ ‘ଶବ୍ଦ ନୃତ୍ୟ’ର ବିଶିଷ୍ଟ କଳାକାର ଭାବେ ସେ ବେଶ ପରିଚିତ। ସେହିପରି ସମ୍ବଲପୁର ଜିଲ୍ଲାର ବିଶିଷ୍ଟ ନାଟ୍ୟକାର, କବି ଓ ଲେଖକ ବିନୋଦ କୁମାର ପଶାୟତ ଏବଂ ଖୋର୍ଦ୍ଧା ଜିଲ୍ଲାର ବିନୋଦ ମହାରଣା କଳାକୁ ସମୃଦ୍ଧ କରିବା ପାଇଁ ପଦ୍ମ ପୁରସ୍କାର ପାଇଛନ୍ତି।

ଗୋପୀନାଥ ସ୍ୱାଇଁ ଓଡ଼ିଆ ଲୋକ ଗୀତ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ୧୦୬ ବର୍ଷୀୟ ଗୋପୀନାଥ ସ୍ୱାଇଁ ପାଞ୍ଚଟି ପ୍ରାଚୀନ ରାଗରେ ଗାଇବା ସହ ଶିକ୍ଷା ଦେଇଛନ୍ତି। ଦକ୍ଷିଣଶ୍ରୀ, ଚିନ୍ତା, ଦେଶକ୍ଷା, ତୋଡ଼ି ଭତିଆରି, କୁମ୍ଭ କାମୋଡି ପରି ପାଞ୍ଚଟି ରାଗରେ ଲୋକ ଗୀତ ଗାନ କରୁଥିଲେ। ସେ ଆଖାଡ଼ା (ପାରମ୍ପାରିକ ଗ୍ରାମ୍ୟ ସ୍କୁଲ) ସ୍ଥାପନ କରି ଶତାଧିକଙ୍କୁ ଏହା ଉପରେ ଶିକ୍ଷା ଦେଇଛନ୍ତ । ବୃଦ୍ଧାବସ୍ଥା ସତ୍ତ୍ୱେ ସେ ନିଜ କାମରୁ କେବେ ବି ଦୂରେଇ ନାହାନ୍ତି।

ସେହିପରି ବରଗଡ଼ର ଶବ୍ଦ ନାଚ ଲୋକ ନୃତ୍ୟକୁ ଦୀର୍ଘ ୫ ଦଶନ୍ଧି ଧରି ସଂରକ୍ଷିତ କରିବାରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସରକାର ଭାଗବତ ପ୍ରଧାନଙ୍କୁ ଏହି ସମ୍ମାନ ପାଇଁ ଚୟନ କରିଛନ୍ତି । ୮୫ ବର୍ଷୀୟ ଭାଗବତ ନିଜ ଜୀବନ କାଳରେ ୬୦୦ରୁ ଅଧିକ ଜଣଙ୍କୁ ନୃତ୍ୟ ଶିକ୍ଷା ଦେଇଛନ୍ତି।୧୯୬୦ ମସିହାରେ ପ୍ରାଥମିକ ଶକ୍ଷିକ ଭାବେ କାର୍ଯ୍ୟ କରୁଥିଲେ।ଏହି ସମୟରେ ସେ ବହୁ ଆର୍ଥିକ ସମସ୍ୟାର ସାମନା କରିବା ସତ୍ତ୍ୱେ ଏହି ଲୋକ ନୃତ୍ୟକୁ ବଞ୍ଚାଇ ରଖିବା ପ୍ରତି କେବେ ଅବହେଳା କରି ନାହାନ୍ତି।

ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ମଧ୍ୟରୁ ଅନ୍ୟତମ। ୧୯୫୪ ମସିହାରୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ।କଳା, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡା, ଔଷଧ ଏବଂ ସାମାଜିକ କାର୍ଯ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଏ।

Leave A Reply

Your email address will not be published.