Odisha Link
Bridging the Missing Links in Odisha

ନବରଙ୍ଗପୁରରେ ରାଜନାଥ ସିଂ; କହିଲେ-ଓଡ଼ିଶା ସହ ମୋର ଭାବନାତ୍ମକ ସଂପର୍କ ରହିଛି

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ବିଜୁ ଜନତା ଦଳର ମାଷ୍ଟର ପ୍ଲାନ ଦେଖି ବିଜେପି ଶିବିର ମଧ୍ୟ ତତ୍ପରତା ଦେଖାଇଛି। ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟକୁ କେନ୍ଦ୍ରମନ୍ତ୍ରୀଙ୍କ ସିରିଜ ଗସ୍ତ ଆରମ୍ଭ ହୋଇଛି। ବିଜେପିର ହେଭିୱେଟ ନେତା ଏବେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି କ୍ରମରେ ନବରଙ୍ଗପୁରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରରେ ପହଞ୍ଚିଲେ।

ନବରଙ୍ଗପୁର ସଭାରେ ରାଜନାଥ ସିଂ ଉଦ୍ବୋଧନ ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶା ସହ ଆମ ସରକାର ଭେଦଭାବ କରିନି। ଏଠାରେ ମେଡିକାଲ କଲେଜ, ଇଂଜିନିୟରିଂ କଲେଜ ବଢ଼ିଛି। ଜନତାଙ୍କ ସେବା କରିବା ଆମ ପ୍ରଧାନମନ୍ତ୍ରୀଙ୍କ ଏକମାତ୍ର ଉଦ୍ଦେଶ୍ୟ। ଓଡ଼ିଶାରେ କଂଗ୍ରେସ ସରକାର ଖାଲି ଶିଳାନ୍ୟାସ କରି ଚାଲିଥିଲା। ଆମ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ ନୁହେଁ, କାର୍ଯ୍ୟ ପୂରଣ କରୁଛନ୍ତି। ଯେଉଁଠି ଶିଳାନ୍ୟାସ, ସେଇଠି କାମ ସାରି ଉଦ୍‌ଘାଟନ ବି କରୁଛନ୍ତି। କହିଥିଲୁ ୩୭୦ ଧାରା ଉଠାଇବୁ, ଜାମ୍ମୁ କାଶ୍ମୀରରୁ ୩୭୦ ଉଠାଇଲୁ। ତିନ୍‌ ତଲାକ୍‌ ଉଠାଇବୁ କହିଥିଲୁ, ଆମେ ଆମ କଥା ରକ୍ଷା କଲୁ।

କଂଗ୍ରେସ ଲମ୍ବା ସମୟ ପର୍ଯ୍ୟନ୍ତ ଦେଶବାସୀଙ୍କୁ ଧୋକା ଦେଇଛି। ବିଶେଷକରି ଗରିବ ଲୋକଙ୍କୁ କଂଗ୍ରେସ ଧୋକା ଦେଇଛି। ମୋଦି ଆସିବା ପରେ ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରିଛନ୍ତି। ୧୧ କୋଟି ଲୋକଙ୍କ ପାଇଁ ଶୌଚାଳୟ, ୪ କୋଟିଙ୍କୁ ପକ୍କା ଘର ମିଳିଛି। ଓଡ଼ିଶାରେ ୩୦ ଲକ୍ଷ ଲୋକଙ୍କୁ ପକ୍କା ଘର ମିଳିଛି। କଂଗ୍ରେସ ସରକାରରେ ୧୭ ବର୍ଷରେ ୧୮ ହଜାର କିମି ରାସ୍ତା ହୋଇଥିଲା। ଗତ ୧୦ ବର୍ଷରେ ମୋଦି ସରକାର ୩୦ ହଜାର କିମି ରାସ୍ତା କରିଛନ୍ତି। ଆୟୁଷ୍ମାନ ଭାରତ ଯୋଜନାରେ ଗରିବଙ୍କୁ ସ୍ୱାସ୍ଥ୍ୟ ସୁବିଧା ମିଳୁଛି।

ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶା ସହ ମୋର ଭାବନାତ୍ମକ ସଂପର୍କ ରହିଛି। କଂଗ୍ରେସ ସରକାର ବେଳେ ଭାରତ ସୁରକ୍ଷା ଯାତ୍ରା କରିଥିଲୁ। ଭାରତ ସୁରକ୍ଷା ଯାତ୍ରା ମୁଁ ଓଡ଼ିଶାରୁ ଆରମ୍ଭ କରିଥିଲି। ସେତେବେଳେ ଆତଙ୍କବାଦ, ନକ୍ସଲବାଦ, ଆତଙ୍କ ସର୍ବତ୍ର ରହିଥିଲା। ଆଜି ଆତଙ୍କବାଦ କେଉଁଠି ରହିଛି, ଆପଣମାନେ ଜାଣିଛନ୍ତି। ପୁଲୱାମା ଘଟଣା ପରେ ମୁହଁତୋଡ଼ ଜବାବ ଦିଆଯାଇଛି। ଏବେ ନକ୍ସଲବାଦ କେବଳ କିଛି ଜିଲ୍ଲାରେ ସୀମିତ ରହିଛି। ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ସାରା ଦେଶର ଚିତ୍ର ବଦଳିଛି। ସବୁ ଲାଭାର୍ଥୀଙ୍କୁ ମୋଦି ଦେଉଥିବା ସୁବିଧା ମିଳିବା ଦରକାର। ବିଜେପି ଏକମାତ୍ର ପାର୍ଟି ଯିଏ ଯାହା କହେ, ସେୟା କରେ ବୋଲି ରାଜନାଥ ସିଂ କହିଛନ୍ତି।

Leave A Reply

Your email address will not be published.