Odisha Link
Bridging the Missing Links in Odisha

ବିଜେଡି ଛାଡ଼ିଲେ ପ୍ରିୟଦର୍ଶୀ ମିଶ୍ର

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ ତାରିଖ। ନିର୍ବାଚନ ଯେତେ ପାଖଉଛି ବିଭିନ୍ନ ଦଳର ଅସନ୍ତୁଷ୍ଟ କର୍ମୀ ଜଣଙ୍କ ପରେ ଜଣେ ଦଳ ଛାଡ଼ିବାରେ ଲାଗିଛନ୍ତି। ଆଜି ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ଆଜି ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ଇସ୍ତଫାପତ୍ରରେ ସେ ତାଙ୍କ କ୍ଷୋଭ ପ୍ରକାଶ କରିଛନ୍ତି।ଦଳରେ ନିରନ୍ତର ଅବହେଳା ଅଭିଯୋଗ କରି ସେ ଇସ୍ତଫା ଦେଇଛନ୍ତି।

ବିଜେଡିରୁ ଇସ୍ତଫା ଦେବା ପରେ ପ୍ରିୟଦର୍ଶୀ ମିଶ୍ର କହିଛନ୍ତି, ମୁଁ ଛାତ୍ରାବସ୍ଥାରୁ ବିଜୁ ବାବୁଙ୍କ ସହିତ କାମ କରିଛି। ୩୦ ବର୍ଷରୁ ଅଧିକ ସମୟ ଧରି ମୁଁ ନିଷ୍ଠାର ସହିତ ଏହି ଦଳ ପାଇଁ କାମ କରିଛି। କିନ୍ତୁ ଦଳ ମୋତେ କ୍ରମାଗତ ଭାବେ ଅବହେଳା କରିଛି। ତା’ର ପ୍ରତିବାଦରେ ମୁଁ ଆଜି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି।

ସେ ଆହୁରି କହିଛନ୍ତି, ଦଳ ଗତ ଥର ଧୋକା ଦେଇଥିଲା, ଏବେ ବି ଧୋକା ଦେଉଥିବା ଜାଣି ଇସ୍ତଫା ଦେଲି। ୨୦୧୯ରେ ଟିକେଟ୍ ଦେବ କହି ଦେଇନଥିଲା, ୨୪ରେ ଟିକେଟ୍ ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ହେଲେ ଏବେ ତାହା କରୁନଥିବା ସ୍ପଷ୍ଟ ହେଉଥିବାରୁ ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ଏପରିକି ଦଳର କୌଣସି ସାଂଗଠନିକ କାର୍ଯ୍ୟରେ ମୋତେ ସାମିଲ କରାଯାଉନଥିଲା ବୋଲି ସେ ଦୋହରାଇଛନ୍ତି।

ସୂଚନାଥାଉକି, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଜ୍ୱାଇଁ ହେଉଛନ୍ତି ପ୍ରିୟଦର୍ଶୀ ମିଶ୍ର। ସେ ୨୦୧୪ରେ ଉତ୍ତର ଭୁବନେଶ୍ୱର ଆସନରୁ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ରେ ତାଙ୍କୁ ଟିକେଟ୍ ଦିଆଯାଇ ନଥିଲା।

Leave A Reply

Your email address will not be published.