Odisha Link
Bridging the Missing Links in Odisha

ପଦ୍ମ ଧରିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ

ଓଏଲ୍‌ ବ୍ୟୁରୋ: ଜଣଙ୍କ ପରେ ଜଣେ ଅଭିନେତାରୁ ରାଜନେତା ସାଜିଥିବା ବ୍ୟକ୍ତିତ୍ବ ଛାଡ଼ୁଛନ୍ତି ବିଜେଡି। ଅରିନ୍ଦମ, ସିଦ୍ଧାନ୍ତ, ଆକାଶଙ୍କ ପରେ ବିଜେଡି ହାତ ଛାଡ଼ିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ସେ ପ୍ରଥମେ ରାଜ୍ୟସଭା ସାଂସଦ ହୋଇଥିଲେ। ପରେ ୨୦୧୯ ମସିହାରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜୟୀ ହୋଇ ସାଂସଦ ହୋଇଥିଲେ। ବିଜେଡି ଛାଡିବା ପରେ ଆଜି ସେ ବିଜେପିରେ ଯୋଗ ଦେଇଛନ୍ତି।

ଗତ କିଛି ବର୍ଷ ହେଲା ପାରିବାରିକ ବିବାଦରେ ଫସି ଯାଇଥିବା ଅନୁଭବ ମହାନ୍ତି ଦଳରେ ମଧ୍ୟ କୋଣଠେସା ହୋଇ ରହିଯାଇଥିଲେ। ତାଙ୍କୁ ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ସାମିଲ କରାଯାଉ ନଥିଲା। ଗତ ପଞ୍ଚାୟତ ନିର୍ବାଚନରେ ଅନୁଭବଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ଦିଆଯାଇଥିଲା।

ଅନୁଭବ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିବାବେଳେ ଏହା ଆଜି ସ୍ପଷ୍ଟ ହୋଇଛି। ନିକଟରେ ବିଜେଡିରୁ ଇସ୍ତଫା ଦେଇଥିବା କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ହୋଲି ପାର୍ଟିରେ ଅନୁଭବଙ୍କୁ ଦେଖିବାକୁ ମିଳିଥିଲା। ତା’ପରଠୁ ଅନୁଭବ ବିଜେଡି ଛାଡ଼ୁଥିବା ଚର୍ଚ୍ଚା ଜୋର ଧରିଥିଲା।

ସୂଚନାଥାଉକି, ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେଡି କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ଅଂଶୁମାନ କିଛି ଦିନ ତଳେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ। ଟିକେଟ୍ କଟିଯିବା ପରେ ଅନୁଭବ ଦଳ ଛାଡ଼ିବେ ବୋଲି ଆଲୋଚନା ହେଉଥିଲା।