ଓଡ଼ିଶାରେ ପାଖାପାଖି ୧୬ଟି ଲୋକସଭା ଆସନରେ ବିଜେପି ଜିତିବ: ଅମିତ ଶାହ

ଓଏଲ୍ ବ୍ୟୁରୋ: ସାରା ଦେଶରେ ନିର୍ବାଚନୀ ଲହର। ଦେଶରେ ଲୋକସଭା ନିର୍ବାଚନ ହେଉଥିବା ବେଳେ ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ଯାହାଫଳରେ ସାରା ଦେଶର ନଜର ଓଡ଼ିଶା ଉପରେ ରହିଛି। ବିଶେଷଭାବେ ଆଞ୍ଚଳିକ ଦଳ ବିଜୁ ଜନତା ଦଳ ଓ ୨ ଜାତୀୟ ଦଳ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ମଧ୍ୟରେ ବିଗ୍ ଫାଇଟ୍ ଦେଖିବାକୁ ମିଳେ। ମେ’ ୧୩ ତାରିଖରେ ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେଉଥିବା ବେଳେ ଓଡ଼ିଶା ରାଜନୀତିକୁ ନେଇ ବଡ଼ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଚଳିତ ନିର୍ବାଚନରେ ୧୬ ଏମ୍ପି ସିଟ୍ ବିଜେପି ଜିତିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଅମିତ ଶାହ।
ଜାତୀୟ ଗଣମାଧ୍ୟମ ସଂସ୍ଥା ନ୍ୟୁଜ ୧୮ ସ୍ବତନ୍ତ୍ର ସାକ୍ଷାତକାରରେ ଓଡ଼ିଶା କଥା ରଖିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସାକ୍ଷାତକାରରେ ବିଜେପିର ଚାଣକ୍ୟ ଭାବେ ପରିଚିତ ଅମିତ ଶାହ କହିଛନ୍ତି, ଚଳିତ ନିର୍ବାଚନରେ ଓଡ଼ିଶାରେ ବିଜେପି ପାଖାପାଖି ୧୬ଟି ଲୋକସଭା ଆସନ ପାଇବ। ଗତଥର ଠାରୁ ଏଥର ଏମପି ସିଟ ଡବଲ ହେବ ବୋଲି କହିଛନ୍ତ ଅମିତ ଶାହ।
ସୋନପୁର ସଭାରେ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ କହିଥିଲେ ଅମିତ ଶାହ। ସେହିପରି ସାକ୍ଷାତକାରରେ ମଧ୍ୟ ଓଡ଼ିଆ ଅସ୍ମିତା କଥା ଉଠାଇଛନ୍ତି ଶାହ। ସେ କହିଛନ୍ତି, ଓଡ଼ିଆ ଭାଷା,ସଂସ୍କୃତି ଓ ସ୍ବାଭିମାନ ପ୍ରତି କୁଠାରଘାତ ହୋଇଛି। କୌଣସି ରାଜ୍ୟର ଭାଷା,ସଂସ୍କୃତି ଯେପରି ଅକ୍ଷୂର୍ଣ୍ଣ ରହେ ସେଥିପାଇଁ ବିଜେପି କାମ କରି ଆସିଛି। ବିକାଶ କ୍ଷେତ୍ରରେ ଓଡ଼ିଶା ପଛରେ ପଡିଛି। ରାଜ୍ୟରେ ଯାହା ସମ୍ବଳ ଅଛି ତାର ଉଚିତ ବିନିଯୋଗ ହୋଇପାରୁନାହିଁ। ତେଣୁ ଓଡ଼ିଶାରେ ଏକା ଲଢିବାକୁ ବିଜେପି ନିଷ୍ପତ୍ତି ନେଇଛି। ଆଉ ମୋଦିଙ୍କ ନେତୃତ୍ବରେ ଏଥର ଓଡ଼ିଶାବାସୀ ବିଜେପିକୁ ଆଶୀର୍ବାଦ କରିବେ ବୋଲି କହିଛନ୍ତି ଅମିତ ଶାହ।