Odisha Link
Bridging the Missing Links in Odisha

ଭୁବନେଶ୍ୱରରେ ମନ୍ମଥଙ୍କ ବିଶାଳ ରାଲି; ଶଗଡ଼ରେ ଆସି ଭରିଲେ ନାମାଙ୍କନ

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତେ ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ବଢୁଥିବା ତାପମାତ୍ରା ସହିତ ରାଜନୈତିକ ଉଷ୍ମତା ମଧ୍ୟ ବଢ଼ିବାରେ ଲାଗିଛି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ୨୧ଟି ଆସନରେ ପ୍ରାର୍ଥୀ ତାଲିକା ଘୋଷଣା ପରେ କିଛି ସଂସଦୀୟ କ୍ଷେତ୍ରରେ ଜୋରଦାର ଲଢେଇ ହେବ ବୋଲି କୁହାଯାଉଛି। ହେବାକୁ ଥିବା ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜାରି ରହିଛି ନାମାଙ୍କନ ଦାଖଲ ପ୍ରକ୍ରିୟା। ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ମାନେ ପଟୁଆରରେ ଆସି ନାମାଙ୍କନ ଦାଖଲ କରୁଛନ୍ତି।

ଆଜି କଣ୍ଟାବାଞ୍ଜି ବିଧାନସଭା ଆସନରୁ ନାମାଙ୍କନ ଭରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଠାରୁ ପ୍ରଥମ ଥର ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ନବୀନ। ସେହିଭଳି ଭୁବନେଶ୍ୱର ଲୋକସଭା ଆସନରୁ ଜଟଣି ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ବିଜୁ ଜନତା ଦଳ ପ୍ରାର୍ଥୀ କରିଛି। ସେ ଆଜି ବିଶାଳ ରୋଡ ସୋ’ କରି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଶୁଭ ବାହାନରେ ବସି ଶୁଭ ଶଂଖ ବଜାଇ ମୁଁ ଆଜି ପରୀକ୍ଷାରେ ବାହାରିଛି। ଜନତାଙ୍କ ଆଶୀର୍ବାଦରୁ ମୋ ଉପରେ ମୁଖ୍ୟମନ୍ତ୍ରୀ କରିଥିବା ଭରସାର ପରୀକ୍ଷାରେ ମୁଁ ଉତ୍ତୀର୍ଣ୍ଣ ହେବି ବୋଲି ବିଶ୍ୱାସ ମନ୍ମଥ ରାଉତରାୟ କହିଛନ୍ତି। ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଭାରତୀୟ ଜନତା ପାର୍ଟି ଅପରାଜିତା ଷଡ଼ଙ୍ଗୀଙ୍କୁ ପୁଣି ଥରେ ପ୍ରାର୍ଥୀ କରିଥିବାବେଳେ ସେ ମଧ୍ୟ ଆଜି ନାମାଙ୍କନ ଯାଇଛନ୍ତି। ଗୋଟିଏ ଦିନରେ ରାଜ୍ୟର ଟାଣୁଆ ନେତା ନାମାଙ୍କନ ଦାଖଲ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.