Odisha Link
Bridging the Missing Links in Odisha

ରାହୁଲଙ୍କ ପରେ କିଏ ହେବ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ? ବିଜ୍ଞପ୍ତି ଜାରି କଲା ବିସିସିଆଇ

ଓଏଲ୍‌ ବ୍ୟୁରୋ: ଜୁନ୍‌ ୨ ତାରିଖରୁ ଆରମ୍ଭ ହେବ ଟି-୨୦ ବିଶ୍ବକପ୍‌ ମହାକୁମ୍ଭ। ଜୁନ୍‌ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ଫଟାଫଟ କ୍ରିକେଟର ମହାକୁମ୍ଭ। ଭାରତୀୟ କ୍ରିକେଟ ଦଳର ହେଡ କୋଚ୍‌ ଥିବା ରାହୁଲ ଦ୍ରାବିଡଙ୍କ ଏହା ଶେଷ ବିଶ୍ବକପ୍‌ ହେବ। କାରଣ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇ ସାରିଥିବା ବେଳେ ନୂଆ ହେଡ୍‌ କୋଚ ସନ୍ଧାନରେ ଭାରତୀୟ କ୍ରିକେଟ ବୋର୍ଡ। ସେଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ପରିଷଦ ଟିମ୍‌ ଇଣ୍ଡିଆର ହେଡ୍‌ କୋଚ୍‌ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।

ରାହୁଲ ଦ୍ରାବିଡ ବର୍ତ୍ତମାନ ଟିମ୍‌ ଇଣ୍ଡିଆର ହେଡ କୋଚ୍‌ ଅଛନ୍ତି। ତାଙ୍କ କାର୍ଯ୍ୟକାଳ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ହେବାକୁ ଥିବା ଟି-୨୦ ବିଶ୍ବକପ୍‌ ପରେ ଶେଷ ହୋଇଯିବ। ଟି-୨୦ ବିଶ୍ବକପ୍‌ ଚାଲିଥିବା ସମୟରେ ହିଁ ଭାରତୀୟ କ୍ରିକେଟ ଦଳକୁ ତାର ନୂଆ କୋଚ୍‌ ମିଳିଯିବ। ଯାହାଙ୍କ କାର୍ଯ୍ୟକାଳ ଜୁଲାଇ ୧ ୨୦୨୪ରୁ ଆରମ୍ଭ ହୋଇ ୨୦୨୭ ଡିସେମ୍ବର ୩୧ ପର୍ଯ୍ୟନ୍ତ ରହିବ। ଏହି ସମୟ ମଧ୍ୟରେ ଟିମ୍‌ ଇଣ୍ଡିଆ ୫ଟି ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିବ। ଚାମ୍ପିୟନ୍ସ ଟ୍ରଫି, ଟି-୨୦ ବିଶ୍ବକପ୍‌ ଓ ଦିନିକିଆ ବିଶ୍ବକପ୍‌ ସହ ୨ଟି ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ସାମିଲ ଅଛି।

ଭାରତୀୟ କ୍ରିକେଟ ଦଳର ହେଡ କୋଚ୍‌ ଆବେଦନ ପାଇଁ ସମୟ ସୀମା ମେ’ ୨୭ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରହିଛି। ଏହି ସମୟ ମଧ୍ୟରେ ଇଚ୍ଛୁକ ବ୍ୟକ୍ତି ଆବେଦନ କରିପାରିବେ। କେଉଁ ଯୋଗ୍ୟତା ଥିଲେ ଜଣେ କ୍ରିକେଟର ଟିମ୍‌ ଇଣ୍ଡିଆ ହେଡ କୋଚ୍‌ ପାଇଁ ଆବେଦନ କରି ପାରିବ ଜାଣନ୍ତୁ।

କ’ଣ ରହିଛି ଯୋଗ୍ୟତା:
* ଆବେଦନକାରୀଙ୍କ ନିକଟରେ ୩୦ ଟେଷ୍ଟ ଓ ୫୦ଟି ଦିନିକିଆ ଖେଳିବାର ଅଭିଜ୍ଞତା ଥିବା ଦରକାର।
* ସମ୍ପୂର୍ଣ୍ଣ ମେମ୍ବର ମାନ୍ୟତା ପାଇଥିବା ଟେଷ୍ଟ ଟିମ୍‌କୁ ୨ ବର୍ଷ କୋଚିଂ ଦେଇଥିବା ଆବଶ୍ୟକ।
* ଆଇପିଏଲ୍‌ ଟିମ୍, ଇଣ୍ଟରନ୍ୟାସନାଲ ଲିଗ୍‌, ପ୍ଲାଷ୍ଟ କ୍ଲାସ ଟିମ୍, ଜାତୀୟ-ଏ ଟିମ୍‌ର କୌଣସି ଦଳକୁ ୩ ବର୍ଷରୁ ଅଧିକ କୋଚିଂ ଦେଇଥିବା ଆବଶ୍ୟକ।
*ବିସିସିଆଇର କୋଚିଂ ଲେଭଲ-୩ର ସାର୍ଟିଫିକେଟ ଥିବା ଦରକାର।
* ଆବେଦନକାରୀଙ୍କ ବୟସ ୬୦ ବର୍ଷରୁ କମ୍‌ ରହିବା ଦରକାର।

ରାହୁଲ ଦ୍ରାବିଡ ୨୦୨୧ ନଭେମ୍ବରରେ ଭାରତୀୟ ପୁରୁଷ କ୍ରିକେଟ ଦଳର ହେଡ କୋଚ୍‌ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ସେବେ ଟିମ୍‌ ଇଣ୍ଡିଆ ଟି-୨୦ ବିଶ୍ବକପ୍‌ର ଗ୍ରୁପ ଷ୍ଟେଜରୁ ବାହାରି ସାରିଥିଲା। ୨୦୨୨ ଟି-୨୦ ବିଶ୍ବକପ୍‌ରେ ଟିମ୍‌ ଇଣ୍ଡିଆ ସେମି ଫାଇନାଲ ଖେଳିଥିଲା। ୨୦୨୩ ଦିନିକିଆ ବିଶ୍ବକପ୍‌ରେ ଭାରତ ଫାଇନାଲ ଖେଳିଥିଲା। ତାପରେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଟି-୨୦ ବିଶ୍ବକପ୍‌ ପର୍ଯ୍ୟନ୍ତ ବଢ଼ାଇଥିଲା ବିସିସିଆଇ।

Leave A Reply

Your email address will not be published.