Odisha Link
Bridging the Missing Links in Odisha

ଆଜି ଜାତୀୟ ଡେଙ୍ଗୁ ଦିବସ; ଏହି ରୋଗ ହେଲେ କାହିଁକି କମିଯାଏ ପ୍ଲେଟଲେଟ୍ ଜାଣନ୍ତୁ…

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ଜାତୀୟ ଡେଙ୍ଗୁ ଦିବସ। ଡେଙ୍ଗୁ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ’ ୧୬ ତାରିଖକୁ ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ। ଡେଙ୍ଗୁ ଜ୍ଵର ଏକ ଭୂତାଣୁ ଜନିତ ରୋଗ। ଏଡିସ୍ ମଶା କାମୁଡ଼ିବା ଦ୍ଵାରା ଡେଙ୍ଗୁ ଜ୍ଵର ହୋଇଥାଏ। ଡେଙ୍ଗୁ ରୋଗୀଙ୍କ ରକ୍ତରେ ପ୍ଲେଟଲେଟ୍ କମିଯାଏ। ଭାରତରେ ଅନେକ ଲୋକ ସ୍ବାସ୍ଥ୍ୟ ସମସ୍ୟା ପ୍ରତି ସଚେତନ ରହିଥିଲେ ମଧ୍ୟ କେତେଜଣ ଏହାକୁ ଗମ୍ଭୀରତା ସହ ନିଅନ୍ତି ନାହିଁ। ଡେଙ୍ଗୁକୁ ଯଦି ଅବହେଳା କରାଯାଏ ତେବେ ତାହା କି ଆକାର ଧାରଣକରେ ସେନେଇ ଅନେକ ନଜିର ରହିଛି। ତେଣୁ ଏହାର ଲକ୍ଷଣ ଏବଂ ଚିକିତ୍ସା ସମ୍ପର୍କରେ ଆମେ ଠିକ୍‌ଭାବେ ଅବଗତ ହେବା ନିହାତି ଦରକାର। ତେଣୁ ଜାତୀୟ ଡେଙ୍ଗୁ ଦିବସ ଅବସରରେ ଏହାର ସଚେତନତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ।

ଚଳିତ ବର୍ଷ ଉକ୍ତ ଦିବସର ଥିମ୍‌ ରହିଛି-”ସମାଜ ସହ ଜଡ଼ିତ ରହିବା; ଡେଙ୍ଗୁକୁ ନିୟନ୍ତ୍ରଣ କରିବା।“ ଜଣେ ବ୍ୟକ୍ତି ଡେଙ୍ଗୁରେ ଆକ୍ରାନ୍ତ ହେଲେ ଜ୍ୱରର ମାତ୍ରା ପ୍ରବଳ ରହେ। ବେଳେବେଳେ ଏହା ୧୦୪ ଡିଗ୍ରୀ ଫାରେନ୍‌ହାଇଟ୍‌ ପର୍ଯ୍ୟନ୍ତ ପହଂଚି ଯାଏ। ଏହାର ପ୍ରମୁଖ ଲକ୍ଷଣ ହେଲା-ପ୍ରବଳ ମୁଣ୍ଡ ବିନ୍ଧିବା, ମାଂସପେଶୀ ଏବଂ ଅସ୍ଥିର ଯୋଡ଼ାସ୍ଥଳରେ ଯନ୍ତ୍ରଣା ଅନୁଭବ କରିବା, ବାନ୍ତି ଲାଗିବା ଏବଂ ବାନ୍ତି ହେବା। ଏସବୁ ଲକ୍ଷଣ ଦେଖିବା ମାତ୍ରେ ବିଳମ୍ବ ନ କରି ଆକ୍ରାନ୍ତ ବ୍ୟକ୍ତିଙ୍କୁ ତୁରନ୍ତ ନିକଟସ୍ଥ ହସ୍‌ପିଟାଲକୁ ନେଇଯିବା ଦରକାର। ଚିକିତ୍ସାରେ ଯଦି ବିଳମ୍ବ ହୁଏ ତେବେ ତାହା ଜୀବନନାଶକ ସାଜିପାରେ। ଏବେ ମଧ୍ୟ ଅନେକ ଦେଶରେ ଡେଙ୍ଗୁ ଏକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ରୂପେ ଦେଖାଯାଇଥାଏ। ତେଣୁ ଏ ବିଷୟରେ ସଚେତନ ରହିବା ନିହାତି ଜରୁରୀ।

ଡେଙ୍ଗୁ ରୋଗୀଙ୍କ ରକ୍ତରେ ପ୍ଲେଟଲେଟ୍ କାହିଁକି କମିଯାଏ ଏବଂ ରୋଗୀଙ୍କୁ କେମିତି ଦିଆଯାଏ ପ୍ଲେଟଲେଟ୍, ଏ ବିଷୟରେ ଜାଣନ୍ତୁ..

ପ୍ଲେଟଲେଟ୍ କ’ଣ?

ପ୍ଲେଟଲେଟ୍ ବା ଥ୍ରୋମ୍ବୋସାଇଟ୍, ଆମ ରକ୍ତରେ କ୍ଷୁଦ୍ର, ରଙ୍ଗହୀନ କୋଷ ଖଣ୍ଡ, ଯାହା ଜମାଟ ବାନ୍ଧି ରକ୍ତସ୍ରାବକୁ ରୋକିଥାଏ। ଆମ ଅସ୍ଥି ମଜ୍ଜାରେ ପ୍ଲେଟଲେଟ୍ ତିଆରି ହୋଇଥାଏ। ଜଣେ ସୁସ୍ଥ ବ୍ୟକ୍ତିଙ୍କ ଶରୀରର ପ୍ଲେଟଲେଟ୍ କାଉଣ୍ଟ ୧,୫୦,୦୦୦ରୁ ୪,୫୦,୦୦୦ ପ୍ଲେଟଲେଟ୍/ମାଇକ୍ରୋଲାଇଟ ରହିଥାଏ। ୪,୫୦,୦୦୦ରୁ ଅଧିକ ପ୍ଲେଟଲେଟ୍ ହେଲେ ଥ୍ରୋମ୍ବୋସାଇଟୋସିସ୍ ଏବଂ ୧,୫୦,୦୦୦ରୁ କମ୍ ପ୍ଲେଟଲେଟ୍ ହେଲେ ଥ୍ରୋମ୍ବୋସାଇଟୋପେନିଆ କୁହାଯାଏ। ଡେଙ୍ଗୁ ରୋଗ ହେଲେ ରକ୍ତରେ ପ୍ଲେଟଲେଟ୍ କମିଯାଏ।

କାହିଁକି ଡେଙ୍ଗୁ ରୋଗୀଙ୍କର ହ୍ରାସ ପାଏ ପ୍ଲେଟଲେଟ୍?

ଡେଙ୍ଗୁରେ କମ୍ ପ୍ଲେଟଲେଟ୍ ପାଇଁ ମୁଖ୍ୟତଃ ତିନିଟି କାରଣ ଦାୟୀ ହୋଇପାରେ। ଅସ୍ଥି ମଜ୍ଜାରେ ସମସ୍ୟା ଥିଲେ ପ୍ଲେଟଲେଟ୍ ଉତ୍ପାଦନ ହ୍ରାସ ହୁଏ। ଡେଙ୍ଗୁ ଭାଇରସ୍ ଦ୍ୱାରା ପ୍ରଭାବିତ ରକ୍ତ କଣିକା ପ୍ଲେଟଲେଟକୁ ନଷ୍ଟ କରିଦିଏ। ଏହି ସମୟ ମଧ୍ୟରେ ଗଠିତ ଆଣ୍ଟିବଡି ଯୋଗୁଁ ପ୍ଲେଟଲେଟ୍ ମଧ୍ୟ ହ୍ରାସପାଏ। ମୌସୁମୀ ସମୟରେ ସଂକ୍ରାମକ ରୋଗ କିମ୍ୱା ଜ୍ୱରର ମୁକାବିଲା ପାଇଁ ପ୍ଲେଟଲେଟ୍ ବୃଦ୍ଧି କରିବାକୁ ଡାକ୍ତରମାନେ ସର୍ବଦା ପରାମର୍ଶ ଦିଅନ୍ତି। କିପରି ରକ୍ତରେ ପ୍ଲେଟଲେଟ୍ ବୃଦ୍ଧି କରିବେ, ଜାଣନ୍ତୁ…

ଡେଙ୍ଗୁ ସମୟରେ ପ୍ଲେଟଲେଟ୍ କମିବାର ଅବସ୍ଥା ଗମ୍ଭୀର ରୋଗର ଲକ୍ଷଣ। ତେଣୁ ତୁରନ୍ତ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରନ୍ତୁ। ପ୍ଲେଟଲେଟ୍ ବୃଦ୍ଧି ପାଇଁ ମେଡିସିନ୍ ଦିଅନ୍ତି ଡାକ୍ତର। ଏହା ବ୍ୟତୀତ ଓମେଗା-୩, ଭିଟାମିନ୍, ଆଇରନ୍ ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥରେ ଭରପୂର ଖାଦ୍ୟ ଗ୍ରହଣ କରିବା ଉଚିତ୍। ଡେଙ୍ଗୁ ରୋଗୀ ଅଧିକରୁ ଅଧିକ ତରଳ ପଦାର୍ଥ, ଫଳ ରସ, ପଇଡ଼ ପିଇବା ଉଚିତ୍।

Leave A Reply

Your email address will not be published.