Odisha Link
Bridging the Missing Links in Odisha

ନିଆଳିରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ; ଗୀତାଞ୍ଜଳି ମଲ୍ଲିକଙ୍କୁ ମିଳିଲା ଟିକେଟ

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ମେ’ ୨୦ ତାରିଖରେ ହେବ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ନିର୍ବାଚନକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ନେତୃବୃନ୍ଦ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ପର୍ଯ୍ୟାୟ କ୍ରମେ ନିର୍ବାଚନକୁ ନଜରରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି। ଏସବୁ ଭିତରେ ନିଆଳିରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ବଦଳାଇଥିବା ଖବର ସାମ୍ନାକୁ ଆସିଛି। ପୂର୍ବରୁ ଜ୍ଯୋତିରଞ୍ଜନ ମଲ୍ଲିକଙ୍କୁ ଟିକେଟ ମିଳିଥିବାବେଳେ ଏବେ ତାହା ଫେରାଇନେଇ ଦଳ ତାଙ୍କ ବଦଳରେ ଗୀତାଞ୍ଜଳି ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି।

ସୂଚନା ଅନୁସାରେ, କଟକ ଜିଲ୍ଲା ନିଆଳିର କଂଗ୍ରେସ ପ୍ରାର୍ଥୀ ଜ୍ୟୋତି ରଞ୍ଜନ ମଲ୍ଲିକଙ୍କ ନାମାଙ୍କନପତ୍ର ଖାରଜ ହୋଇଥିଲା। ଏନେଇ ସୂଚନା ଦେଇଛନ୍ତି ଜ୍ୟୋତି ରଞ୍ଜନ। “ଉଦ୍ଦେଶ୍ୟମୂଳକ ଭାବେ ମୋତେ ନିର୍ବାଚନରୁ ବାଦ୍ ଦିଆଗଲା। ସମସ୍ତ କାଗଜପତ୍ର ଦାଖଲ ପରେ ବି ମୋର ନାମାଙ୍କନପତ୍ର ଖାରଜ କରାଯାଇଛି। ମୁଁ ଏବେ ସରପଞ୍ଚ ଅଛି କିଏ କେଉଁ ଉଦ୍ଦେଶ୍ୟ ରଖି ଭୋଟର ତାଲିକାରୁ ନାଁ କାଟିଲା ?” ବୋଲି ପ୍ରଶ୍ନ କରିବା ସହ ଏହା ସ୍ଥାନୀୟ ବିଧାୟକଙ୍କ ଗୋଷ୍ଠୀଙ୍କ ଦ୍ବାରା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଜ୍ୟୋତି। ଏନେଇ ଆଇନର ଆଶ୍ରୟ ନେବେ ବୋଲି ସେ କହିଛନ୍ତି।