ଓଡ଼ିଶାରେ ୨୫ ବର୍ଷର ସରକାର ବଦଳିବା ଦରକାର: ହେମା ମାଳିନୀ

ଓଏଲ୍ ବ୍ୟୁରୋ: ନିର୍ବାଚନକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ନେତୃବୃନ୍ଦ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ପର୍ଯ୍ୟାୟ କ୍ରମେ ନିର୍ବାଚନକୁ ନଜରରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆଉ ଦିନ କେଇଟା ପରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏହାରି ଭିତରେ ବିଜେପିର ହେଭିୱେଟ୍ ନେତା ଓଡ଼ିଶା ଗସ୍ତରେ ଆସୁଛନ୍ତି। ତେବେ ଆଜି ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ହେମାମାଳିନୀ।
କିଛି ସମୟ ପୂର୍ବରୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ହେମାମାଳିନୀ କହିଛନ୍ତି, ରାଜ୍ୟର ୨୫ ବର୍ଷର ସରକାର ପରିବର୍ତ୍ତନ ହେବାର ସମୟ ଆସିଛି। ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା କୌଣସି ବିକାଶ ହୋଇନି। ଓଡ଼ିଶାର ବିକାଶ ପାଇଁ ଏବେ ଡବଲ ଇଞ୍ଜିନ୍ ସରକାର ଦରକାର। ମୋଦିଙ୍କ କାର୍ଯ୍ୟରେ ଦେଶବାସୀ ଖୁସି, ଏଠି ବିଜେପି ସରକାର କରିବ।। ତେବେ ଆଉ କିଛି ସମୟ ପରେ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ସାଲିଆ ସାହିରେ ପ୍ରଚାର କରିବେ ହେମାମାଳିନୀ। ସାଲିଆ ସାହିରେ ବିଜୟ ସଂକଳ୍ପ ସମାବେଶ କରିବେ। ଏହାପରେ କଟକ କିଶନ ନଗରରେ ସଭା କରିବେ। ସନ୍ଧ୍ୟାରେ ପୁରୀ ଜିଲ୍ଲା ପିପିଲିରେ ଜନସଭା କରିବା ସହ ରୋଡ ସୋ ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି।