Odisha Link
Bridging the Missing Links in Odisha

‘ଓଡ଼ିଶା ପ୍ରକାଶକ ସଂଘ’ ଗଠିତ, ପୁସ୍ତକ ଓ ଭାଷାସାହିତ୍ୟର ପ୍ରସାରକୁ ଦିଆଯିବ ଗୁରୁତ୍ୱ

ଭୁବନେଶ୍ୱର: ଓଡ଼ିଶାର ପ୍ରମୁଖ ପ୍ରକାଶକମାନଙ୍କୁ ନେଇ ଆଜି ଏକ ରାଜ୍ୟସ୍ତରୀୟ ସଂଗଠନ ପ୍ରତିଷ୍ଠା ପାଇଛି। ‘ଓଡ଼ିଶା ପ୍ରକାଶକ ସଂଘ’ ନାମରେ ସ୍ଥାପିତ ଏ ନୂଆ ସଂଘରେ ୭ ଜଣ ପ୍ରମୁଖ ପ୍ରକାଶକ ପ୍ରତିଷ୍ଠାତା ସଦସ୍ୟ ଭାବେ ଯୋଗ ଦେଇଛନ୍ତି। ସେମାନେ ହେଲେ ଅପୂର୍ବା ପ୍ରକାଶନୀର ଅଧ୍ୟକ୍ଷ କ୍ଷୀରୋଦ ଚନ୍ଦ୍ର ପତି, ପକ୍ଷୀଘର ପ୍ରକାଶନୀର ମୁଖ୍ୟ ବନୋଜ ତ୍ରିପାଠୀ, ଟାଇମ୍‌ପାସ୍ ପ୍ରକାଶନୀର ନିର୍ଦ୍ଦେଶକ ସରୋଜ ବଳ, ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା, ଜ୍ଞାନଯୁଗ ପବ୍ଳିକେଶନର ନିର୍ଦ୍ଦେଶକ ତୁଷାର ବରଣ ସାହୁ, ମୟୂର ପବ୍ଳିକେଶନ୍ସର ମୁଖ୍ୟ ରାଧାକାନ୍ତ ଘଡ଼େଇ ଓ ସୃଜନର ମୁଖ୍ୟ ସୁଧୀର ମଉଡ଼ମଣି।

ଆଜି ଓଡ଼ିଆ ମିଡିଆ କାର୍ଯ୍ୟାଳୟରେ ସମସ୍ତେ ଏକାଠି ହୋଇ ସଂଘର କର୍ମକର୍ତ୍ତା ଚୟନ ସାଙ୍ଗକୁ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିଥିଲେ। କ୍ଷୀରୋଦ ଚନ୍ଦ୍ର ପତି ସଂଘର ସଭାପତି ହୋଇଥିବା ବେଳେ ବନୋଜ ତ୍ରିପାଠୀ ଓ ସରୋଜ ବଳଙ୍କୁ ଉପସଭାପତି ଭାବେ ମନୋନିତ କରାଯାଇଛି। ଶୁଭ୍ରାଂଶୁ ପଣ୍ଡା ଅନୁଷ୍ଠାନର ସଂପାଦକ ରହିଥିବାବେଳେ ରାଧାକାନ୍ତ ଘଡ଼େଇଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଛି।

ସାମୂହିକ ଭାବେ ଏ ସଂଘ ପ୍ରକାଶନ ସମ୍ବନ୍ଧୀୟ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିବା ସହ ଓଡ଼ିଆ ପୁସ୍ତକ, ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରିବ ବୋଲି ନିଷ୍ପତ୍ତି ନିଆଯାଇଛି। ଲେଖକ, ପାଠକ ଓ ପ୍ରକାଶକଙ୍କ ମଧ୍ୟରେ ସମନ୍ୱୟ ରଖିବା ସହ ପୁସ୍ତକମେଳା ଆୟୋଜନ ଆଦିରେ ସହଯୋଗ କରିବା ଲାଗି ସଂଘ ନିଷ୍ପତ୍ତି ନେଇଛି ବୋଲି ସଂପାଦକ ଶ୍ରୀ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ରାଜ୍ୟର ପ୍ରମୁଖ, ସକ୍ରିୟ ଓ ଯୋଗ୍ୟ ପ୍ରକାଶକମାନଙ୍କ ମଧ୍ୟରେ ଏକତା ବୃଦ୍ଧି କରିବା ଏ ସଂଘର ଉଦ୍ଦେଶ୍ୟ ବୋଲି ସେ ସ୍ପଷ୍ଟ କରିଛନ୍ତି।

Leave A Reply

Your email address will not be published.