Odisha Link
Bridging the Missing Links in Odisha

ଆଉ ଦିନକ ପରେ ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ମତ ଦେବେ ୯୯.୬୧ ଲକ୍ଷ ଭୋଟର

ଓଏଲ୍‌ ବ୍ୟୁରୋ: ଚଳଚଞ୍ଚଳ ରାଜ୍ୟ ରାଜନୀତି। ଜୁନ ପହିଲାରେ ହେବାକୁ ଥିବା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ। ସେହିଭଳି ଆଜି ସଂଧ୍ୟାରେ ମଧ୍ୟ ଦେଶରେ ହେବାକୁ ଥିବା ସପ୍ତମ ତଥା ଶେଷ ପର୍ଯ୍ୟାୟ ଭୋଟ୍ ପାଇଁ ସରୁଛି ପ୍ରଚାର। ଏହି ପର୍ଯ୍ୟାୟରେ ବହୁ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା ହେବ। ରାଜ୍ୟରେ ନିଜ ଗାଦିକୁ ବଞ୍ଚାଇ ରଖିବା ପାଇଁ ବିଜେଡି ପକ୍ଷରୁ ପ୍ରାଣ ପଣେ ଉଦ୍ୟମ ଜାରି ରହିଥିଵାବାବେଳେ ବିଜେପି ମଧ୍ୟ କେନ୍ଦ୍ରୀୟ ନେତାଙ୍କୁ ଆଣି ଓଡ଼ିଶାରେ ଘନ ଘନ ପ୍ରଚାର ଚଳାଇଛି।

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି। ରାଜ୍ୟର ୬ଟି ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ। ୬ଟି ସଂସଦୀୟ କ୍ଷେତ୍ରର ୪୨ଟି ବିଧାନସଭା କ୍ଷେତ୍ରରେ ମଧ୍ୟ ନିର୍ବାଚନ ହେବ। ଚତୁର୍ଥ ପର୍ଯ୍ୟାୟରେ ସବୁଠାରୁ ଅଧିକ ଭୋଟର ରାଜ୍ୟରେ ରହିଛନ୍ତି। ଏହି ପର୍ଯ୍ୟାୟରେ ୯୯.୬୧ ଲକ୍ଷ ଭୋଟର ମତଦାନ କରିବେ। ସେଥିମଧ୍ୟରେ ୫୦.୮୮ଲକ୍ଷ ପୁରୁଷ ଭୋଟର ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୪୮.୭୨ ଲକ୍ଷ ଏବଂ ତୃତୀୟ ଲିଙ୍ଗି ଭୋଟରଙ୍କ ସଂଖ୍ୟା ୬୦୮୭ ରହିଛି।

ରାଜ୍ୟର ୧୦ ହଜାର ୮୮୨ ଟି ମତଦାନ କେନ୍ଦ୍ରରେ ଭୋଟର ମତଦାନ କରିବେ। ୧୪୦୦ ବୁଥ୍ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ। ଏହି ପର୍ଯ୍ୟାୟରେ ୨୦ ପ୍ରତିଶତ ଆଦର୍ଶ ବୁଥ୍ ରହିଛି। ନିର୍ବାଚନ କାର୍ଯ୍ୟରେ ୭୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ ନିୟୋଜିତ ହେବେ। ଚତୁର୍ଥ ପର୍ଯାୟ ନିର୍ବାଚନ ପାଇଁ ରାଜ୍ୟରେ ମଇଦାନରେ ୪୬୦ ଜଣ ପ୍ରାର୍ଥୀ ଅଛନ୍ତି। ସେଥିମଧ୍ୟରେ ୩୯୪ ବିଧାନସଭା ପ୍ରାର୍ଥୀ ଏବଂ ୬୬ ଲୋକସଭା ପ୍ରାର୍ଥୀ ରହିଛନ୍ତି। ସିଏପିଏଫର ୧୨୫ କମ୍ପାନୀ ସୁରକ୍ଷା କାର୍ଯ୍ୟରେ ମୁତୟନ ହେବେ। ପିଡବ୍ଲୁଡି ପକ୍ଷରୁ ଭୋଟରଙ୍କ ପାଇଁ ନିଃଶୁଳ୍କ ପରିବହନ ବ୍ୟବସ୍ଥା ହୋଇଛି। ପୋଲିଂ ବୁଥ୍‌କୁ ମୋବାଇଲ ଫୋନ୍ ନେବାକୁ ମନା କରାଯାଇଛି ବୋଲି ସେ ସୂଚନା ପ୍ରଦାନ କରିଛନ୍ତି। ଏଜେଣ୍ଟ ଓ ଭୋଟର ବୁଥ୍‌କୁ ମୋବାଇଲ ନେଇ ପାରିବେ ନାହିଁ।

Leave A Reply

Your email address will not be published.