ଚିଲିକା ବିଧାୟକଙ୍କ ଗିରଫଦାରୀ ମାମଲା: ଖୋର୍ଦ୍ଧା କୋର୍ଟରେ ଶୁଣାଣି ଶେଷ

ଓଏଲ୍ ବ୍ୟୁରୋ: ଚଳଚଞ୍ଚଳ ରାଜ୍ୟ ରାଜନୀତି। ଶେଷ ପର୍ଯ୍ୟାୟରେ ପହଂଚିଛି ୨୦୨୪ ମହାଲଢ଼େଇ। ହେଲେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ଇଭିଏମ୍ ଭାଙ୍ଗିବା ମାମଲାରେ ବନ୍ଧା ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବକୁ ନେଇ ଥମୁନି ବିବାଦ। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ମାମଲାକୁ ନେଇ ଖୋର୍ଦ୍ଧା କୋର୍ଟରେ ଶୁଣାଣି ଶେଷ ହୋଇଥିବାବେଳେ ରାୟ ସଂରକ୍ଷିତ ରଖାଯାଇଛି। ପୀତାମ୍ବର ଆଚାର୍ଯ୍ୟଙ୍କ ସମେତ ୪୦ ଆଇନଜୀବୀଙ୍କ ଯୁକ୍ତି ଉପସ୍ଥାପନ ହୋଇଛି।
ସୂଚନା ମୁତାବିକ, ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିଲା। ଏହି କ୍ରମରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ତାଙ୍କ ପତ୍ନୀ ଭୋଟ୍ ଦେବା ପାଇଁ କାଉଁରିପାଟଣା ବୁଥରେ ପହଞ୍ଚିଥିଲେ। ଏହାର କିଛି ସମୟ ପରେ ଇଭିଏମକୁ ଫିଙ୍ଗାଫୋପଡ଼ା କରାଯାଇଥିବା ନେଇ ଅଭିଯୋଗ ଉଠିଥିଲା। ଏହି ଘଟଣାରେ ପୁଲିସ ବେଗୁନିଆରୁ ବିଧାୟକଙ୍କୁ ଉଠାଇ ନେଇ ଖୋର୍ଦ୍ଧା ରିଜର୍ଭ ପୁଲିସ କ୍ୟାମ୍ପସରେ ଅଟକ ରଖିଥିଲା। ତେବେ ସମ୍ପୃକ୍ତ ବୁଥର ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।