ଜମ୍ମୁରେ ଆତଙ୍କୀ ହମଲା: ଗଲାଣି ୧୦ ଜୀବନ, ସର୍ଚ୍ଚ ଅପରେସନ ଜାରି
ଓଏଲ୍ ବ୍ୟୁରୋ: ଜମ୍ମୁ-କାଶ୍ମୀର ରିୟାସି ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ ୧୦ ଜଣ ତୀର୍ଥ ଯାତ୍ରୀଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା। ଏହା ସହ ୩୩ ଜଣ ଆହତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ଭୟାବହ ଘଟଣା ପରେ ଆତଙ୍କବାଦୀଙ୍କୁ ଧରିବାକୁ ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ। ପୂରା ଜଙ୍ଗଲକୁ ଘେରାବନ୍ଦୀ କରି କମ୍ବିଂ ଅପରେସନ କରାଯାଉଛି। ଆତଙ୍କବାଦୀଙ୍କୁ ଖୋଜିବାକୁ ଡ୍ରୋନ ଓ ହେଲିକପ୍ଟରର ବ୍ୟବହାର କରୁଛନ୍ତି ଯବାନ। ଜାମ୍ମୁ କାଶ୍ମୀରର ଡିଜାଷ୍ଟର ରେସପନ୍ସ ଟିମକୁ ମୁତୟନ କରାଯାଇଛି। ଯାଞ୍ଚ ପାଇଁ ଘଟଣାସ୍ଥଳକୁ ଗଲେ ଏନଆଇଏ ଟିମ୍।
ସୂଚନା ଅନୁସାରେ, ଗତକାଲି ସଂଧ୍ୟା ପ୍ରାୟ ସାଢେ ୬ଟାରେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଭିଆଇଛନ୍ତି ନାରକୀୟ କାଣ୍ଡ। ରିଆସି ଜିଲ୍ଲାରେ ଏକ ତୀର୍ଥଯାତ୍ରୀ ବସ୍ ଉପରେ ଅନ୍ଧାଧୂନ ଗୁଳିମାଡ କରିଥିଲେ ଆତଙ୍କବାଦୀ। ଫଳରେ ବସଟି ଦୁର୍ଘଟଣାର ଶିକାର ହୋଇ ଏକ ଖାଇରେ ଖସିପଡିଥିଲା। ଏଥିରେ ୧୦ ଜଣଙ୍କର ମୃତ୍ୟୁ ହେବା ସହ ୩୦ରୁ ଅଧିକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପ୍ରଥମେ ବସଟି ଦୁର୍ଘଟଣାର ଶିକାର ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଘଟଣାସ୍ଥଳରୁ ଏକାଧିକ ରାଉଣ୍ଡର ଗୁଳି ଓ ଖୋକା ଜବତ ହେବା ପରେ ଏହା ଏକ ବଡଧରଣର ଆତଙ୍କୀ ହମଲା ବୋଲି ସ୍ପଷ୍ଟ ହୋଇଛି।