ବିଧାୟକ ଭାବେ ଶପଥ ନେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଏଲ୍ ବ୍ୟୁରୋ: ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ମୋହନ ସରକାର ଶାସନ ଗାଦିରେ ବସିବା ପରେ ଆଜି ଆରମ୍ଭ ହୋଇଛି ପ୍ରଥମ ବିଧାନସଭା ଅଧିବେଶନ। ଆରମ୍ଭ ହୋଇଛି ନୂଆ ବିଧାୟକଙ୍କ ଶପଥ ଗ୍ରହଣ ସମାରୋହ। ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଏହା ହେଉଛି ପ୍ରଥମ ବିଧାନସଭା ଅଧିବେଶନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ୨ ଉପମୁଖ୍ୟମନ୍ତ୍ରୀ ବର୍ତ୍ତମାନ ବିଧାନସଭାରେ ଶପଥ ନେଇଛନ୍ତି। ସେମାନଙ୍କୁ ଶପଥ ପାଠ କରାଉଛନ୍ତି ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଏହି କ୍ରମରେ ଅନେକ ବିଧାୟକ ଶପଥ ଗ୍ରହଣ କରିଛନ୍ତି। ବିଧାନସଭାରେ ପହଞ୍ଚି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକ ଭାବେ ବିଧାୟକ ଶପଥ ଗ୍ରହଣ କରିଛନ୍ତି।
୨୪ ବର୍ଷ ପରେ ବିରୋଧୀ ଦଳ ଆସନରେ ବସିବ ବିଜୁ ଜନତା ଦଳ। ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ ଶପଥ ନେଉଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ। ୨୦ ତାରିଖରେ ହେବ ବାଚସ୍ପତି ନିର୍ବାଚନ। ଚଳିତ ଥର ବିଧାନସଭାକୁ ଆସିଛନ୍ତି ରେକର୍ଡ ସଂଖ୍ୟକ ୮୨ ଜଣ ନୂଆ ବିଧାୟକ। ଏହି ତିନିଦିନିଆ ଅଧିବେଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିସହ ଆଣ୍ଟି ସାବୋଟେଜ୍ ଓ ଆଣ୍ଟି ଟେରରିଷ୍ଟ ଟିମ୍ ମଧ୍ୟ ମୁତୟନ କରାଯାଇଛି।
ପ୍ରଥମ ଦୁଇଦିନ ୧୮, ୧୯ ତାରିଖରେ ନବନିର୍ବାଚିତ ବିଧାୟକମାନଙ୍କ ଶପଥ ପାଠ କାର୍ଯ୍ୟକ୍ରମ ରହିଛି। ୨୦ ତାରିଖରେ ନୂତନ ବାଚସ୍ପତି ନିର୍ବାଚନ ହେବ। ବିଧାନସଭାରେ ପ୍ରବେଶ ପାଇଁ କେବଳ ପାସଧାରୀମାନଙ୍କୁ ହିଁ ଅନୁମତି ପ୍ରଦାନ କରାଯାଇଛି। ଯେହେତୁ ଭୁବନେଶ୍ବର ଡିସିପି ଏବେ ଛୁଟିରେ ଅଛନ୍ତି, ପୁଲିସ କମିଶନର ସୁରକ୍ଷା ଦାୟିତ୍ଵରେ ରହିଛନ୍ତି। ୭୫ ପୁଲିସ ଅଧିକାରୀଙ୍କ ସହ ୮ ପ୍ଲାଟୁନ ପୁଲିସ ଫୋର୍ସ ଗୃହ ଭିତରେ ଓ ବାହାରେ ନିୟୋଜିତ ରହିବେ। ସୁରକ୍ଷା ସମ୍ପର୍କିତ କୌଣସି ଅପ୍ରୀତିକର ସ୍ଥିତିର ମୁକାବିଲା ପାଇ ଏସଟିୟୁ ଟିମ, ଡଗ୍ ସ୍କ୍ୱାର୍ଡ ଓ ବମ ସ୍କ୍ବାଡ ଟିମ୍ ମଧ୍ୟ ନିୟୋଜିତ ରହିବେ।