Odisha Link
Bridging the Missing Links in Odisha

ବିଧାୟକଙ୍କ ଶପଥ ପାଠ ଉତ୍ସବ ଆରମ୍ଭ, ସାଇକେଲରେ ବିଧାନସଭା ଆସିଲେ ସିଦ୍ଧାନ୍ତ ମହାପାତ୍ର

ଓଏଲ୍‌ ବ୍ୟୁରୋ: ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ମୋହନ ସରକାର ଶାସନ ଗାଦିରେ ବସିବା ପରେ ଆଜି ଆରମ୍ଭ ହୋଇଛି ପ୍ରଥମ ବିଧାନସଭା ଅଧିବେଶନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ୨ ଉପମୁଖ୍ୟମନ୍ତ୍ରୀ ବର୍ତ୍ତମାନ ବିଧାନସଭାରେ ପହଁଞ୍ଚି ସାରିଛନ୍ତି। ଆରମ୍ଭ ହୋଇଛି ନୂଆ ବିଧାୟକଙ୍କ ଶପଥ ଗ୍ରହଣ ସମାରୋହ। ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଏହା ହେଉଛି ପ୍ରଥମ ବିଧାନସଭା ଅଧିବେଶନ।

ପ୍ରଥମ ଥର ପାଇଁ ଦିଗପହଣ୍ଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ସିଦ୍ଧାନ୍ତ ମହାପାତ୍ର। ବିଧାୟକ ହେବା ପରେ ଆଜି ଶପଥ ନେବାକୁ ବିଧାନସଭାରେ ପହଞ୍ଚିିଛନ୍ତି। ତେବେ ସାଇକେଲରେ ବିଧାନସଭା ଆସିବା ସହ ପରିବେଶ ସୁରକ୍ଷା ନେଇ ରାଜ୍ୟବାସୀଙ୍କୁ ବାର୍ତା ଦେଇଛନ୍ତି। ସମସ୍ତ ନେତା, ମନ୍ତ୍ରୀ ଓ ସାଧାରଣ ଜନତାଙ୍କୁ ମଧ୍ୟ ସାଇକେଲ ବ୍ୟବହାର ପାଇଁ ଅପିଲ କରିଛନ୍ତି।

୨୪ ବର୍ଷ ପରେ ବିରୋଧୀ ଦଳ ଆସନରେ ବସିବ ବିଜୁ ଜନତା ଦଳ। ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ ଶପଥ ନେଉଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ। ସେମାନଙ୍କୁ ଶପଥ ପାଠ କରାଉଛନ୍ତି ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ୨୦ ତାରିଖରେ ହେବ ବାଚସ୍ପତି ନିର୍ବାଚନ। ଚଳିତ ଥର ବିଧାନସଭାକୁ ଆସିଛନ୍ତି ରେକର୍ଡ ସଂଖ୍ୟକ ୮୨ ଜଣ ନୂଆ ବିଧାୟକ। ଏହି ତିନିଦିନିଆ ଅଧିବେଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିସହ ଆଣ୍ଟି ସାବୋଟେଜ୍ ଓ ଆଣ୍ଟି ଟେରରିଷ୍ଟ ଟିମ୍ ମଧ୍ୟ ମୁତୟନ କରାଯାଇଛି।