Odisha Link
Bridging the Missing Links in Odisha

ବିଧାନସଭାରେ ବିଜେପିର ଦଳୀୟ କାର୍ଯ୍ୟକ୍ରମ କହି ବର୍ଷିଲା ବିଜେଡି, ପାଲଟା ଜବାବ ରଖିଲା ବିଜେପି

ଓଏଲ୍‌ ବ୍ୟୁରୋ: ବିଧାନସଭାରେ ବିଧାୟକଙ୍କୁ ଦିଆଯିବ ଦିଗଦର୍ଶନ। ନବ ନିର୍ବାଚିତ ବିଧାୟକଙ୍କ ନିମନ୍ତେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଏନେଇ ଓଡ଼ିଶା ବିଧାନସଭା ସଚିବାଳୟ ପକ୍ଷରୁ ପତ୍ର ଜାରି ହୋଇଛି। ତେବେ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ବିଧାନସଭାରେ ବିଧାୟକଙ୍କୁ ଦିଗଦର୍ଶନ ନାଁରେ ଦଳୀୟ କାର୍ଯ୍ୟକ୍ରମ କହି ବିଜେପି ଉପରେ ବର୍ଷିଛି ବିଜେଡି। ଅନ୍ୟପଟେ ବିଜେପି ମଧ୍ୟ ଦେଇଛି କଡ଼େ ପ୍ରତିକ୍ରିୟା। ସୂଚନାଥାଉକି, ଆସନ୍ତା ୧୭ ଓ ୧୮ରେ ଦୁଇ ଦିନିଆ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି।

ବିଜୁ ଜନତା ଦଳ ପକ୍ଷରୁ ଆଜି ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦଳର ବରିଷ୍ଠ ନେତା ପ୍ରତାପ ଦେବ ଓ ବିଧାୟକ ଗଣେଶ୍ୱର କହିଛନ୍ତି ଯେ ବିଧାନସଭା ପରମ୍ପରା ଭଙ୍ଗ ହେଉଛି। ପରମ୍ପରା ଅନୁସାରେ ମୁଖ୍ୟମନ୍ତ୍ରୀ କିମ୍ବା ବାଚସ୍ପତି ଦିଗଦର୍ଶନ କାର୍ଯ୍ୟକ୍ରମର ଉଦଘାଟନ ଓ ଉଦଯାପନୀରେ ଅତିଥି ହେବା କଥା। କିନ୍ତୁ ଗୃହର ସଦସ୍ୟ ନଥିଲେ ବି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କିପରି ଉଦଘାଟନ କରିବେ ତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି। ସେହିପରି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା କାର୍ଯ୍ୟକ୍ରମ ଯୋଗଦେବା ନେଇ ମଧ୍ୟ ପ୍ରଶ୍ନ କରିଛି ବିଜେଡି। ଏଥିସହିତ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବନି ବିଜେଡି ବିଧାୟକ ବୋଲି ଦଳର ବରିଷ୍ଠ ନେତା ପ୍ରତାପ ଦେବ କହିଛନ୍ତି।

ଅନ୍ୟପଟେ ବିଜେଡି ଆଣିଥିବା ଅଭିଯୋଗର ପାଲଟା ଜବାବ ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି, ନୂତନ ବିଧାୟକଙ୍କ ତାଲିମ ପାଇଁ କାର୍ଯ୍ୟକ୍ରମ ହେଉଛି। ସବୁ ବିଧାନସଭା ଆରମ୍ଭରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ହେବ। ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ, ଅତିଥି ହିସାବରେ ଆମେ କେନ୍ଦ୍ର ସଂସାଦୀୟ ବ୍ୟାପର ମନ୍ତ୍ରୀଙ୍କୁ ଡାକିଛୁ। ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ, ନରସିଂହ ମିଶ୍ର ମଧ୍ୟ ଉପସ୍ଥିତ ରହି ବିଧାୟକ ମାନଙ୍କୁ ଶିକ୍ଷା ଦେବେ। ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ମଧ୍ୟ ଉପସ୍ଥିତ ରହିବେ। ଦଳୀୟ କେମିତି ହେଲା ସେମାନେ କହିବେ, ବିଧାନସଭା ନୀତିନିୟମ ଭିତରେ ଏହି କାର୍ଯ୍ୟକ୍ରମ ହେଉଛି ବୋଲି ମୁକେଶ ମହାଲିଙ୍ଗ କହିଛନ୍ତି।

Leave A Reply

Your email address will not be published.