ମୋଦିଙ୍କ ଦୀପାବଳି ଭେଟି, ସାରା ଭାରତରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା
ଓଏଲ୍ ବ୍ୟୁରୋ: ଆଜିଠୁ ସାରା ଭାରତରେ ଲାଗୁ ହେବ ଆୟୁଷ୍ମାନ ଭାରତ। ନବମ ଆୟୁର୍ବେଦ ଦିବସ ଅବସରରେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଏକାଧିକ ସ୍ବାସ୍ଥ୍ୟ ପ୍ରକଳ୍ପ ଓ ଭତ୍ତିଭୂମିର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଖୋର୍ଦ୍ଧା ଜଟଣୀଠାରେ ୨୧ ଏକର ଜମିରେ ଆୟୁର୍ବେଦ ଓ ନେଚରପାଥି ହସ୍ପିଟାଲର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି।
ଆଜି ପ୍ରଧାନମନ୍ତ୍ରୀ ଦେଶରେ ମୋଟ ୧୨ ହଜାର ୮୫୦ କୋଟିର ପ୍ରକଳ୍ପର ଉଦଘାଟନ କରିବେ। ନୂଆଦିଲ୍ଲୀରେ ଦେଶର ପ୍ରଥମ ସର୍ବଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନର ଦ୍ବିତୀୟ ପର୍ଯ୍ୟାୟକୁ ଉଦଘାଟନ କରିବା ସହ ଏଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂ ଜରିଆରେ ଦେଶର ବିଭିନ୍ନ ଭାଗରେ ସ୍ବାସ୍ଥ୍ୟ ପ୍ରକଳ୍ପଗୁଡ଼ିକ ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟୁଷ୍ମାନ ଭାରତ ପାର୍ଟ-୨ ଶୁଭାରମ୍ଭ କରିବେ। ଏନେଇ ଯୋଜନା ସଂପର୍କରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ସାରା ଦେଶରେ ୭୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ଲୋକ ଏହାର ସୁବିଧା ପାଇବେ।
ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ କାର୍ଡ ଇସ୍ୟୁ କରିଦେବୁ। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ଗୋଟିଏ କାର୍ଡ। ପୁରୁଣା କାର୍ଡରେ ୯୫୦, ନୂଆ କାର୍ଡରେ ୨୭ ହଜାର ହସ୍ପିଟାଲରୁ ସୁବିଧା ମିଳିବ। ଉଭୟ ଯୋଜନା ପାଇଁ ଗୋଟିଏ କାର୍ଡ ଜାରି ହେବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।