‘ରାଜ୍ୟରେ ଚାଉଳର ନାହିଁ ଅଭାବ, ବିରୋଧୀଙ୍କ କାମ ବିରୋଧ କରିବା’
ଓଏଲ୍ ବ୍ୟୁରୋ: ଦୀପାବଳିରେ ସାମ୍ନାକୁ ଆସିଥିଲା ଅଭାବନୀୟ ଘଟଣା। ଆମ୍ବ ଟାକୁଆ ଖାଇ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି। ତେବେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି। ଦାରିଙ୍ଗବାଡି ବ୍ଲକ ମାଣ୍ଡିପଙ୍କା ଗାଁରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
କନ୍ଧମାଳ ଦାରିଙ୍ଗବାଡ଼ିରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଅଭିଯୋଗ ଘଟଣାରେ ପ୍ରାଥମିକ ତଦନ୍ତରୁ ଖାଦ୍ୟରେ ବିଷକ୍ରିୟା ଯୋଗୁଁ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ଏହା ପରେ ତଦନ୍ତ ଚାଲିଥିବାବେଳେ ବିଜେଡି ରାଜ୍ୟ ସରକାରଙ୍କ ଦୋଷ ଦେଇଛି। ଯାହାକୁ ନେଇ ଯୋଗାଣ ମନ୍ତ୍ରୀ ବିରୋଧୀଙ୍କ କଡା ଜବାବ ଦେଇଛନ୍ତି।
ଯୋଗାଣ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଚାଉଳର ଅଭାବ ନାହିଁ। କନ୍ଧମାଳରେ ମଧ୍ୟ ଚାଉଳ ମହଜୁଦ। ବାସି ଖାଦ୍ୟ ଖାଇଥିବାରୁ ୨ଜଣଙ୍କ ମୃତ୍ୟୁ ଘଟଣା ଘଟିଛି। କନ୍ଧମାଳ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି। ଏହାର ରିପୋର୍ଟ ମଧ୍ୟ ଆସିଛି। ଆମ୍ବ ଟାକୁଆ ସେମାନଙ୍କର ନିୟମିତ ଖାଦ୍ୟ। ବିରୋଧୀଙ୍କ କାମ ହେଲା ବିରୋଧ କରିବା। ତେଣୁ ରିପୋର୍ଟ ଆସିଲେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିବ ବୋଲି ମନ୍ତ୍ରୀ କହିଛନ୍ତି।