Odisha Link
Bridging the Missing Links in Odisha

ରାତି ପାହିଲେ ଖଣ୍ଡଗିରି ମେଳା, ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ପ୍ରସ୍ତୁତି

ଓଏଲ୍ ବ୍ୟୁରୋ: ଆସନ୍ତାକାଲି ଠାରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରିରେ ମାଘସପ୍ତମୀ କୁମ୍ଭମେଳା। ସାଧୁସନ୍ଥମାନେ ହୋମଜଜ୍ଞ, ଜପତପ, ପୂଜାର୍ଚ୍ଚନା କରିବେ ଖଣ୍ଡଗିରି ମେଳାରେ। ଏହି ମେଳା ପାଇଁ ବିଭିନ୍ନ ରାଜ୍ୟରୁ ଶତାଧିକ ବାବା ଆସି ଏଠାରେ ପହଞ୍ଚି ସାରିଛନ୍ତି। କଟକଣାମୁକ୍ତ ମେଳାର ଆୟୋଜନ ହେଉଥିବାରୁ ପ୍ରବଳ ଭିଡ ଆଶଙ୍କା କରାଯାଇଛି। ସାଧୁସନ୍ଥଙ୍କ ପାଇଁ ସ୍ଥାୟୀ ପାଣି ବ୍ୟବସ୍ଥା ସହିତ ଲାଇଟ୍‌ ଓ ଛାମୁଣ୍ଡିଆ ହୋଇଛି। କିନ୍ତୁ ଚଳିତ ଥର ଉଦୟଗିରି ପରି ଖଣ୍ଡଗିରିକୁ ଯିବା ପାଇଁ ଟିକେଟ୍‌ ବ୍ୟବସ୍ଥା ହୋଇଥିବାରୁ ଭକ୍ତମାନେ ଚିନ୍ତାରେ ପଡ଼ିଲେଣି।

ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଥିବାବେଳେ ପାର୍କିଂ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବାକୁ ବିଏମ୍‌ସି ୫ଟି ସ୍ଥାନ ଚିହ୍ନଟ କରିଛି। ଖଣ୍ଡଗିରି ଥାନା ସମ୍ମୁଖ, ଖଣ୍ଡଗିରି ବାରି, ଖାରବେଳ ପାର୍କ ସମ୍ମୁଖ, ଜାଗମରା ହାଉସିଂ ବୋର୍ଡ ସମ୍ମୁଖ, ଖଣ୍ଡଗିରି ଓଭର୍‌ବ୍ରିଜ୍‌ ତଳେ ଗାଡ଼ି ରହିବାକୁ ବ୍ୟବସ୍ଥା ହୋଇଛି। ପାର୍କିଂ କରୁଥିବା ପର୍ଯ୍ୟଟକଙ୍କ ପାଇଁ ଟିକଟ ଦର ମଧ୍ୟ ଧାର୍ଯ୍ୟ ହୋଇଛି। ୨ ଚକିଆ ଓ ୩ ଚକିଆ ପାଇଁ ୧୦ଟଙ୍କା, ୪ ଚକିଆ ପା‌ଇଁ ୨୦ ଟଙ୍କା ଓ ଭାରିଯାନ ପାଇଁ ୨୫ ଟଙ୍କା ଦେବାକୁ ହେବ। ୨ ଘଣ୍ଟାରୁ ଅଧିକ ସମୟ ରଖି‌ଲେ ଅଧିକ ପାର୍କିଂ ମୂଲ୍ୟ ଦେବାକୁ ପଡ଼ିବ। ସାଇକେଲ୍‌ ପାଇଁ ‌‌କିନ୍ତୁ କୌଣସି ଦେୟ ଦେବାକୁ ପଡ଼ିବନି। ‌

Leave A Reply

Your email address will not be published.