ଆରମ୍ଭ ହେଲା +୨ ପରୀକ୍ଷା: ପ୍ରଥମ ଦିନରେ ପରୀକ୍ଷା ଦେଉଛନ୍ତି ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ

ଓଏଲ୍ ବ୍ୟୁରୋ: ଆରମ୍ଭ ହେଲା +୨ ପରୀକ୍ଷା। ପ୍ରଥମ ଦିନରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଥିବାବେଳେ ଆସନ୍ତାକାଲିଠୁ କଲା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ। ଆଉ ଏହା ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା ହେବ। ଚଳିତବର୍ଷ ମୋଟ ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ ଦେବେ ପରୀକ୍ଷା। କଳାରେ ସର୍ବାଧିକ ୨ ଲକ୍ଷ ୪୭ ହଜାର ୩୯୧, ବିଜ୍ଞାନରେ ୧ ଲକ୍ଷ ୧୪ ହଜାର ୯୮୦, ବାଣିଜ୍ୟରେ ୨୫ ହଜାର ୫୨୬, ଧନ୍ଦା ମୂଳକରେ ୫ ହଜାର ୭୨୧ ଜଣ ପରୀକ୍ଷାର୍ଥୀ ରହିଛନ୍ତି। ଏଥର ୨୦୫ଟି ହବ୍ କରାଯାଇଛି। ଚଳିତବର୍ଷ ୧୨୬୭ଟି ପରୀକ୍ଷା କେନ୍ଦ୍ର ହୋଇଛି, ଯାହାକି ୨୦୫ଟି ହବ୍ ଅଧୀନରେ ରହିଛି।
ସୂଚନା ଅନୁସାରେ, ପ୍ରଥମ ଦିନରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କର ଏମ୍ଆଇଏଲ୍ (ଓଡ଼ିଆ) ପରୀକ୍ଷା ଅଛି। ୧୯ ତାରିଖରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ। ସେଦିନ ସେମାନଙ୍କର ଏମ୍ଆଇଏଲ୍ (ଓଡ଼ିଆ) ପରୀକ୍ଷା ଅଛି। ୨୦ ତାରିଖରୁ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇଁ ଜିଲ୍ଲାସ୍ତରୀୟ ସ୍କ୍ୱାଡ ଗଠନ ହେବ। କପି ରୋକିବାକୁ ଜିଲ୍ଲାସ୍ତରୀୟ ସ୍କ୍ୱାଡ ଗଠନ ହୋଇଛି।